ସିନ୍ଦେର ଝରଣ ମହୋତ୍ସବ-୨୦୨୩ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ପ୍ରକୃତିର ଶୋଭାରାଜି ମଧ୍ୟରେ ଲୁଚିରହିଛି ବଡ ସିନ୍ଦେର ଝରନ୍ ଜଳପ୍ରପାତ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଏବଂ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ସୀମାନ୍ତରେ ରହିଥିବା ବେଣାଖମାର ସଂରକ୍ଷିତ ଜଙ୍ଗଲର ଘଞ୍ଚ ସବୁଜ ବନାନୀ ମଧ୍ୟରେ ବିମୋହିତ କରୁଥିବା ସିନ୍ଦେର ଝରନ୍ ର ଏହି ଜଳପ୍ରପାତଟି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ବେଳେ ଏହାର ପ୍ରଚାର ପ୍ରସାର ଅଭାବ ଏବଂ ଯୋଗୁଁ ଅବହେଳିତ ଅବସ୍ଥାରେ ରହିଆସିଛି। ତଥାପି ବି ଏଠାରେ ବର୍ଷର ବିଭିନ୍ନ ସମୟରେ ବଣଭୋଜିର ଆସର ଜମିଥାଏ। ଏହାର ପାରିପାର୍ଶ୍ବିକ ବିକାଶ ସହିତ ଏହି ସ୍ଥଳକୁ ଗମନାଗମନର ସୁବ୍ୟବସ୍ଥା କରାଗଲେ ଏହା ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ହାସଲ କରିପାରିବ। ରାଜ୍ୟ ସରକାର ଏସବୁ ସ୍ଥାନ ମାନଙ୍କ ବିକାଶ ପାଇଁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରିଛନ୍ତି। ପାଡେପଦର ଗ୍ରାମ ପଞ୍ଚାୟତ ପ୍ରଶାସନର ସହଯୋଗ ଏବଂ ସିନ୍ଦେର ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଆଜକୁ ଦୁଇ ବର୍ଷ ହେଲା ବଡ ସିନ୍ଦେର ଝରନ୍ ନାମରେ ମହୋତ୍ସବ ଆୟୋଜିତ ହେଇଆସୁଛି। ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବା ଏହି ସିନ୍ଦେର ଝରନ୍ ମହୋତ୍ସବ ଖମାରପଦର ଭୁତଗୁଡା ଠାରେ ଆୟୋଜିତ ହୋଇଥିଲା। ସିନ୍ଦେର ମହୋତ୍ସବ କମିଟିର ସଭାପତି ତଥା ସ୍ଥାନୀୟ ଓ୍ବାର୍ଡ ସଭ୍ୟ ଯୁଗୁ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସିନ୍ଦେର ଝରନ୍ ମାଣ୍ଡିଆ ରାଣୀ ଦେବୀଙ୍କ ଠାରେ ପୂଜାର୍ଚ୍ଚନାରୁ ଶୁଭାରମ୍ଭ ହୋଇଥିଲା। ପରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ସରପଞ୍ଚ ସମ୍ବାରୀ ମାଝୀ ଫିତା କାଟି ସିନ୍ଦେର ମହୋତ୍ସବ ୨୦୨୩ ମଞ୍ଚ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ମୋହନ ସାଗର, ମହୁଲପାଟଣା ଫାଣ୍ଡି ଅଧିକାରୀ ଭୀମସେନ ଦଣ୍ଡସେନା ,ପିଇଓ ତ୍ରିଲୋଚନ ନାଏକ, ଶିକ୍ଷକ କିଶୋର ଚନ୍ଦ୍ର ନାଏକ ଏବଂ ବୈଦ୍ୟନାଥ ପାନ ମଞ୍ଚାସୀନ ହୋଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସମାଜସେବୀ ଶଙ୍କର ପ୍ରସାଦ ନାଏକ କାର୍ଯ୍ୟକ୍ରମର ଦାୟିତ୍ୱ ତୁଲାଇ ଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନେଇ ତୀର ଚାଳନା ଏବଂ ମ୍ୟୁଜିକ ଚେୟାର ଭଳି ଅନେକ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ସଂଧ୍ୟାରେ ନୃତ୍ୟ ପ୍ରତିଯୋଗୀତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ଏହି ଅବସରରେ ଗତ ଅକ୍ଟୋବର୨ ଗାନ୍ଧୀ ଜୟନ୍ତୀ ଦିନ ସଂସଦ ଭବନରେ ପ୍ରଥମ ବକ୍ତୃତା ଉପସ୍ଥାପନ କରି ଅଞ୍ଚଳକୁ ଗୌରବ ଆଣିଥିବା ସ୍ଥାନୀୟ ଖମାରପଦର ଗ୍ରାମର ଆଫିଆ ବାସିରଙ୍କୁ ସିନ୍ଦେର ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅତିଥି ମାନେ ସିନ୍ଦେର ମହୋତ୍ସବର ମୂଳ ଲକ୍ଷ୍ୟ ବଖାଣିବା ସହିତ ଏହି ସ୍ଥାନଟିର ବିକାଶ କିପରି ହେବ ସେନେଇ ଗୁରୁତ୍ୱ ଅଭିଭାଷଣ ରଖିଥିଲେ। ମଞ୍ଚରେ ତାଳଗୁଡର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ନୃତ୍ୟ ପରିବେଷଣ ହୋଇଥିଲା।ପରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସିନ୍ଦେର ମହୋତ୍ସବ ୨୦୨୩ର ମଞ୍ଚ ପରିଚାଳନା ଦାୟିତ୍ୱ ନେଇଥିଲେ ସମାଜସେବୀ ତଥା ଯୁବ ସାମ୍ବାଦିକ ସଲମନ ନାଏକ। ସିନ୍ଦେର ମହୋତ୍ସବ କମିଟିର ସମ୍ପାଦକ ରଞ୍ଜନ କୁମାର ନାଏକ, ଉପସଭାପତି ରାଜେନ୍ଦ୍ର କୁମାର ନାଏକ, କୋଷାଧ୍ୟକ୍ଷ ଯୋଗେନ୍ଦ୍ର ସାଗର,ସମାଜସେବୀ ରମେଶ ଚନ୍ଦ୍ର ନାଏକ, ଯୁବ ସମାଜସେବୀ ମହେଶ୍ବର ସାଗର ଏବଂ ସୁବାଷ ମାଝୀଙ୍କ ସମେତ କମିଟିର ବହୁ ସଦସ୍ୟଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସିନ୍ଦେର ମହୋତ୍ସବ ଉଦଯାପିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.