ଜାତୀୟ ସ୍ତରର କୁଇଜ୍ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡାର ଛାତ୍ରୀ ଯାଜ୍ଞସେନୀଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତୀୟ ମାନକ ବ୍ୟୁରୋ (ବି ଆଇ ଏସ)ର ସ୍ଥାପନ ଦିବସ ଉପଲକ୍ଷେ ହୋଇଥିବା ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡ଼ର ଯାଜ୍ଞସେନୀ କାନ୍ତା ଜାତୀୟ ସ୍ତରରେ ୩ୟ ସ୍ଥାନ ପ୍ରାପ୍ତ କରି ବିଦ୍ୟାଳୟ ଓ ପିତାମାତାଙ୍କ ପାଇଁ ଗୌରବ ଆଣିଛନ୍ତି। ଗତ ୨୩ ତାରିଖରେ ସାଇନ୍ସ ଏଣ୍ଡ ଷ୍ଟାଣ୍ଡାର୍ଡ ବିଷୟରେ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଭାରତୀୟ ମାନକ ବ୍ୟୁରୋ (ବି ଆଇ ଏସ)ର ୭୭ତମ ସ୍ଥାପନା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃତି ଛାତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରୀ, ଅଭିଭାବକ, ବିଦ୍ୟାଳୟ ପ୍ରାଚାର୍ଯ୍ୟ ଓ ସଂପୃକ୍ତ ଶିକ୍ଷକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ଯଥା ସୁହାନି ଷଡ଼ଙ୍ଗୀ, ହିମାଂଶୁ ଶେଖର ସାହୁ, ଅଂଶୁମାନ ମହାନ୍ତି, ଅନୁରାଗ ସାହୁ, ତୋମିଟ ନାୟକ ଓ ସୋରେନ ପଣ୍ଡା ପ୍ରମୁଖ ଏହି ପ୍ରତିଯୋଗିତାରେ ଭାଗନେଇ କୃତି ପ୍ରମାଣପତ୍ର ହାସଲ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ନିମନ୍ତେ ବିଦ୍ୟାଳୟ କର୍ତ୍ତୁପକ୍ଷ, ଅଭିଭାବକ ମହଲ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନନ୍ଦନ ର ସୁଅ ଛୁଟୁଛି। ଯାଜ୍ଞସେନି ଙ୍କ ବାପା ଝିଅର ଏହି ସଫଳତା ନିମନ୍ତେ ନିଜର ଖୁସି ବ୍ୟକ୍ତ କରିଥିବାବେଳେ ଝିଅଙ୍କୁ ସୁଯୋଗ ଓ ଉପଯୁକ୍ତ ତାଲିମ ଦେଇଥିବାରୁ ଶିକ୍ଷକ ଓ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.