ଅଦାଲତରେ ମହିଳା ବିଚାରପତିଙ୍କୁ ଅଭିଯୁକ୍ତଙ୍କ ଆକ୍ରମଣ

ଅଦାଲତ ଭିତରେ ମହିଳା ବିଚାରପତି ରାୟ ଶୁଣାଉଥିଲେ। ଏହି ସମୟରେ ବିଚାରପତିଙ୍କ ଉପରକୁ ଅଭିଯୁକ୍ତ ଜଣକ ଡେଇଁପଡ଼ିଥିଲେ। ବିଚାରପତିଙ୍କୁ ଆକ୍ରମଣ ବି କରାଯାଇଛି। ଏଭଳି ଘଟଣା ଆମେରିକାରେ ଘଟିଛି। ସେଠାକାର ଲାସ ଭେଗାସର ଏକ ଅଦାଲତ ଭିତରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଅପରାଧୀକ କାର୍ଯ୍ୟକଳାପ ମାମଲାରେ ଅଭିଯୁକ୍ତ ଡିୟୋବ୍ରା ରେଡ୍ଡନ୍ଙ୍କୁ ଲାସ ଭେଗାସର ଏକ ଅଦାଲତରେ ହାଜର କରାଯାଇଥିଲା। ଏହି ମାମଲର ଶୁଣାଣି ଚାଲିଥିଲା। ବିଚାରପତି ମେରି କେ ହୋଲ୍ଥସ୍ ରାୟ ଶୁଣାଉଥିଲେ। ଅଭିଯୁକ୍ତ ଡିୟୋବ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଉଥିଲେ। ଏହି ସମୟରେ ଅଭିଯୁକ୍ତ ଡିୟୋବ୍ରା ହଠାତ୍ ମହିଳା ବିଚାରପତିଙ୍କ ଉପରକୁ ଡେଇଁ ପଡିଥିଲା। କୋର୍ଟ ଭିତରେ ହିଁ ତାଙ୍କୁ ମାଡ଼ ମାରିଥିଲା। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ଅଭିଯୁକ୍ତ ଜଣକ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଛାଡ଼ିନଥିଲା। ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲା।ଅଭିଯୁକ୍ତର ଏଭଳି କାଣ୍ଡ ଅଦାଲତ ପରିସରରେ ଲାଗିଥିବା ସିସି କ୍ୟାମେରା ଫୁଟେଜରେ ରେକର୍ଡ ହୋଇଛି। ଅଭିଯୁକ୍ତଙ୍କ ଆକ୍ରମଣରେ ବିଚାରପତି ମେରି ଆହତ ହୋଇଛନ୍ତି। ତାଙ୍କ ସୁରକ୍ଷାକର୍ମୀ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଡିୟୋବ୍ରାଙ୍କୁ ସୁରକ୍ଷାକର୍ମୀମାନେ କାବୁ କରିବା ପରେ ମାଡ଼ ମାରିଛନ୍ତି। ପରେ ତାଙ୍କୁ ଗିରଫ କରାଯାଇ କ୍ଲର୍କ କାଉଣ୍ଟ ଡିଷ୍ଟେନ୍ସନ୍ ସେଣ୍ଟର ଜେଲ୍କୁ ଚାଲାଣ କରାଯାଇଛି। ଅନ୍ୟପଟେ ଏହି ଆକ୍ରମଣ ପୂର୍ବରୁ ଶୁଣାଣି ବେଳେ ଅଭିଯୁକ୍ତ ଡିୟୋବ୍ରାଙ୍କ ଓକିଲ ତାଙ୍କୁ ଜେଲ୍ ନ ପଠାଇବା ପାଇଁ ମହିଳା ବିଚାରପତି ମେରିଙ୍କୁ ଅନୁରୋଧ କରିଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.