ସର୍ଗିଗୁଡା ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚାଲିଛି ଏବେ ଉତ୍ସବର ଋତୁ । ରାୟଗଡାରେ ଜିଲ୍ଲାର ପ୍ରମୁଖ ମହୋତ୍ସବ ଚଇତି ଉତ୍ସବ ଡିସେମ୍ବର ୩୦ ରେ ସମ୍ପନ୍ନ ହୋଇସାରିଥିବା ବେଳେ କଳାହାଣ୍ଡି ଜିଲ୍ଲା ସାରା ଗତ ୫ା୧ ରୁ ଚାଲିଛି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୪ । ଆସନ୍ତା ୯/୧ ରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିବ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା । ଏହାପରେ ଆସନ୍ତା ୧୪/୧ ରୁ ୧୭/୧ ଯାଏଁ ଜିଲ୍ଲାରେ ଚାଲିବ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୪ । ଏହି କ୍ରମରେ ନର୍ଲା ବ୍ଲକରେ ମଧ୍ୟ ଆସନ୍ତା ୧୧/୧ ଗୁରୁବାର ଦିନ ଅନୁଷ୍ଠିତ ହେବ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୪ । ୫/୧ ରୁ ନର୍ଲା ବ୍ଲକ ଅଧିନସ୍ଥ ୧୮ ଗୋଟି ଗ୍ରାମ ପଞ୍ଚାୟତରେ ଏହି ଉତ୍ସବ ସରିସାରିଥିବା ବେଳେ ସର୍ଗିଗୁଡା, ନର୍ଲା ଓ ବଡଧାରପୁର ଗ୍ରାମ ପଞ୍ଚାୟତରେ ସମ୍ପନ୍ନ ହୋଇଯାଇଛି କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୪ । ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆଙ୍କ ନେତୃତ୍ୱରେ, ସମିତିସଦସ୍ୟ ଚିରଞ୍ଜିବୀ ଗୌଡିଆ, କାର୍ଯ୍ୟନିର୍ବାହୀ ଅଧିକାରୀ କିରଣଚନ୍ଦ୍ର ସାହୁ, ଚକ୍ରଧର ସା, ବିଶ୍ୱମ୍ବର ଭୋଇ, ନାରାୟଣ ପଧାନ, ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ବରିଷ୍ଠ ଶିକ୍ଷକ ଦୟାନିଧି ଡାଳୁଅଙ୍କ ସମେତ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ, ଆଶା, ଅଙ୍ଗନୱାଡି କର୍ମୀ, ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନର୍ଲାରୋଡ ଦୁର୍ଗା ମନ୍ଦିରରୁ ମଶାଲ ନେଇ ଆସିବା ପରେ ଏହାକୁ ସର୍ଗିଗୁଡା ୟୁପି ସ୍କୁଲ ସମ୍ମୁଖସ୍ଥ ଆଦିମାତା ମଞ୍ଚରେ ସ୍ଥାପନା କରାଯାଇଥିଲା । ସର୍ଗିଗୁଡା ସରପଞ୍ଚ ଓ ସମିତି ସଦସ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହାପରେ ପ୍ରାରମ୍ଭିକ ମଞ୍ଚ କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀମତୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୟାନିଧି ଡାଳୁଅ, ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡ଼ିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅତିଥିଙ୍କ ଦେବ ପୂଜନ ପରେ ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ବୃନ୍ଦ ମାର୍ଗଦର୍ଶନ ଦେଇଥିଲେ । ଏହାପରେ ସମସ୍ତ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସଂଗୀତ, ବକ୍ତୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ନାରାୟଣ ପଧାନ, ସୁବାସ ଚନ୍ଦ୍ର ବରାଡ, ଅଚ୍ୟୁତାନନ୍ଦ ବାରିକ, ନେପାଳ ସାହୁ, ଦୀପାଞ୍ଜଳୀ ପାଢୀ ଓ ଅନ୍ୟ ଶିକ୍ଷୟତ୍ରୀ ମାନେ ପ୍ରତିଯୋଗୀତା ଗୁଡିକ ପରିଚାଳନା କରିଥିଲେ । ସେହିଭଳି ମଞ୍ଚରେ ମହିଳାଙ୍କ ପାଇଁ ହୁଳହୂଳି, ରଙ୍ଗୋଲି ପ୍ରତିଯୋଗୀତା ପ୍ରଭୃତି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୪ ଘଣ୍ଟା ସମୟରେ ଦ୍ୱିତୀୟ ଅଧିବେସନରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଶ୍ରୀମତୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେସନରେ ମୁଖ୍ୟ ଅତିଥଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ । ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ । ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ଭୋଇ ମୁଖ୍ୟବକ୍ତା ଭାବରେ ମାର୍ଗଦର୍ଶନ ଦେଇଥିଲେ । ଏହାପରେ କୃତିପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦୁଇଗୋଟି ଅଧିବେସନରେ ଚକ୍ରଧର ସା ମଞ୍ଚ ସଂଯୋଜନା କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ କିରଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଞ୍ଚାୟତ କର୍ମଚାରୀ ଶଙ୍କର ଗୌଡ, ଟଙ୍କଧର ସା, ଯଦୁ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ରାତି ୮ ଟା ଯାଏଁ ସାଂସ୍କୃତି କାର୍ଯ୍ୟକ୍ରମ ଚାଲିଥିଲା । ଶେଷରେ ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.