ଶ୍ରୀରାମପୁର ପଞ୍ଚାୟତରେ ଗଠିତ ହେଲା କଂଗ୍ରେସ କମିଟି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଲକ୍ଷ୍ୟରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ପଞ୍ଚାୟତ କଂଗ୍ରେସ କମିଟି ଗଠନ କରାଯାଇଛି। ସଦର ବ୍ଲକ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା କଂଗ୍ରେସ ଉପସଭାପତି ସରୋଜ କୁମାର ଲେଙ୍କା ଏବଂ ଜିଲ୍ଲା ସମ୍ପାଦକ ଶ୍ରୀକାନ୍ତ ବୁଗୁଡ଼ାଇ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀରାମପୁର ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ସାଙ୍ଗଠନିକ ଅଭିଯାନ ଖୁବ୍‌ଶୀଘ୍ର ବ୍ଲକର ସମସ୍ତ ପଞ୍ଚାୟତକୁ ସମ୍ପ୍ରସାରିତ କରାଯାଇ କମିଟି ଗଠନ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ଲେଙ୍କା କହିଥିଲେ। ପଞ୍ଚାୟତ ସ୍ତରରେ କମିଟି ଗଠନ ହେଲେ ଦଳୀୟ ସଂଗଠନ ଅଧିକ ସୁଦୃଢ଼ ହେବା ସହ କର୍ମୀଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ବଜାୟ ରହିବ ବୋଲି ସମ୍ମାନିତ ଅତିଥି ଶ୍ରୀ ବୁଗୁଡ଼ାଇ ମତବ୍ୟକ୍ତ କରିଥିଲେ। ନବଗଠିତ ପଞ୍ଚାୟତ କମିଟିର ସଭାପତି ଭାବେ ଜଗଦୀଶ ପ୍ରଧାନ, ଉପସଭାପତି ଭାବେ ପ୍ରହ୍ଲାଦ ବିଶ୍ୱାଳ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ରମେଶ ମହାପାତ୍ର ଓ ବିଦ୍ୟାଧର ନାୟକ ମନୋନୀତ ହୋଇଛନ୍ତି। ସେହିପରି ଜଗଦୀଶ ମହାନ୍ତି, ଶ୍ରୀକାନ୍ତ ଜେନାଙ୍କୁ ସାଧାରଣ ସମ୍ପାଦକ, ଅନାଦି ପ୍ରଧାନଙ୍କୁ ସମ୍ପାଦକ ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ସହସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି। ରବୀନ୍ଦ୍ର ଦାସ ହରିଜନ ସଭାପତି ଏବଂ ସସ୍ମିତା ପଲେଇ ମହିଳା ସଭାପତି ଭାବେ ମନୋନୀତ ହୋଇଛନ୍ତି। ପଞ୍ଚାୟତର ମୁଖ୍ୟ ଉପଦେଷ୍ଟା ଭାବେ ଶିବ ପ୍ରସାଦ ମହାନ୍ତି, ଧୀରେନ୍ଦ୍ର ମହାପାତ୍ର, ଗୋପାଳ ବେହେରା ଓ ବୈଦ୍ୟନାଥ ବାରିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ବୈଠକରେ ୨୮ ନମ୍ବର ଜୋନ୍ ସଭାପତି ଅମିତ ପତି, ଗୁରୁପ୍ରସନ୍ନ ମିଶ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.