ଲାଞ୍ଜିଗଡ଼ ବ୍ଲକର ମାଣ୍ଡିଆ ଚାଷୀ ବୁଦ୍ରି ମାଝୀ ରାଜ୍ୟସ୍ତରରେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଜଣେ ସାଧାରଣ ଆଦିବାସୀ ଚାଷୀରୁ ରାଜ୍ୟସ୍ତରରେ ପରିଚିତ ପ୍ରଗତିଶୀଳ ଚାଷୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ। ମାଣ୍ଡିଆ ଚାଷ, ପାରମ୍ପରିକ ବିହନ ସଂରକ୍ଷଣ ଓ କ୍ଷୁଦ୍ରଶସ୍ୟ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଞ୍ଚମ ମାଣ୍ଡିଆ ଦିବସ ଅବସରରେ ଭୁବନେଶ୍ୱରଠାରେ ତାଙ୍କୁ ରାଜ୍ୟସ୍ତରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରରେ ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ ଶ୍ରୀ ବୁଦ୍ରି ମାଝୀଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରିଥିଲେ। ୨୦୧୭-୧୮ ମସିହାରେ ଓଡ଼ିଶା ମିଲେଟ୍ ମିଶନର ହସ୍ତକ୍ଷେପ ପରେ ଶ୍ରୀ ମାଝୀ ମାଣ୍ଡିଆ ଚାଷକୁ ଏକ ନୂତନ ଦୃଷ୍ଟିକୋଣରେ ଆପଣାଇଥିଲେ। ପରବର୍ତ୍ତୀ ସମୟରେ ଶ୍ରୀଅନ୍ନ ଅଭିଯାନ ଅଧୀନରେ କୃଷି ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନ ଜନସାହାଯ୍ୟର ବୈଷୟିକ ପରାମର୍ଶ, ପ୍ରଶିକ୍ଷଣ ଓ ନିୟମିତ କ୍ଷେତ୍ରସ୍ତରୀୟ ମାର୍ଗଦର୍ଶନ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ପାରମ୍ପରିକ ଚାଷ ପଦ୍ଧତିରୁ ଆଗକୁ ବଢ଼ି ସେ ଧାଡ଼ି ରୁଆ, ଧାଡ଼ି ବୁଣା ଓ ସଘନ ପଦ୍ଧତିରେ ମାଣ୍ଡିଆ ଚାଷ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୨୦୨୩-୨୪ ମସିହାରେ ୨.୮୦ ହେକ୍ଟର ଜମିରେ ଉନ୍ନତ ପଦ୍ଧତିରେ କ୍ଷୁଦ୍ରଶସ୍ୟ ଚାଷ କରୁଥିବାବେଳେ, ୨୦୨୫-୨୬ ମସିହାରେ ଏହାର ପରିମାଣ ବୃଦ୍ଧି କରି ୪.୨୦ ହେକ୍ଟରରେ ପହଞ୍ଚାଇଛନ୍ତି। ସେହିପରି ହେକ୍ଟର ପ୍ରତି ମାଣ୍ଡିଆ ଉତ୍ପାଦନ ୧୬.୪୦ କ୍ୱିଣ୍ଟାଲରୁ ବୃଦ୍ଧି ପାଇ ୧୮.୬୦ କ୍ୱିଣ୍ଟାଲରେ ପହଞ୍ଚିଛି। ଜୈବିକ ସାର ଓ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ଜୈବ ଉପାଦାନ ବ୍ୟବହାର କରି ସେ ପରିବେଶ ଅନୁକୂଳ କୃଷିକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏଥିସହ ମାଣ୍ଡିଆ ବିହନ ଉତ୍ପାଦନ କାର୍ଯ୍ୟକ୍ରମରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଗୁଣାତ୍ମକ ବିହନ ଉତ୍ପାଦନ ଓ ଯୋଗାଣରେ ଅବଦାନ ରଖିଛନ୍ତି। କେବଳ ଉତ୍ପାଦନ ବୃଦ୍ଧି ନୁହେଁ, ପାରମ୍ପରିକ ବିହନ ସଂରକ୍ଷଣ, ବଜାର ସଂଯୋଗ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଶ୍ରୀ ମାଝୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବୁଦ୍ରି ମାଝୀଙ୍କ ଏହି ସଫଳତା ପାଇଁ କଳାହାଣ୍ଡି ଜିଲ୍ଲାର କୃଷି ବିଭାଗୀୟ ଅଧିକାରୀ, ୱାସନ୍‌ର ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜନସାହାଯ୍ୟର ସମ୍ପାଦିକା ଅନ୍ୱେସୀତା ସାମଲ, ଲାଞ୍ଜିଗଡ଼ ବ୍ଲକ ଶ୍ରୀଅନ୍ନ ଅଭିଯାନର ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣେନ୍ଦୁ ପଣ୍ଡା ଓ ଉପପ୍ରକଳ୍ପ ସଂଯୋଜକ ସୁବାଷ ନାଏକ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.