ବେଲଖଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଦାବି ପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛି ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ। ସୂଚନା ଯୋଗ୍ୟ ଯେ, ବେଲଖଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ ଡାକ୍ତର ଥିଲେ, କିନ୍ତୁ ସେମାନେ ଉଚ୍ଚ ସ୍ତରୀୟ ପାଠପଢା ପାଇଁ ଯିବା ଯୋଗୁଁ ୨ମାସ ହେଲାଣି ଡାକ୍ତର ନ ଥିବାରୁ ରୋଗୀସେବା ବାଧା ପ୍ରାପ୍ତ ହେଉଛି। କେବଳ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ରୋଗୀସେବା। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବେଲଖଣ୍ଡି, ତୁଣ୍ଡଳା, ସିର୍ଜାପାଲି, ହାତୀଖୋଜ ପ୍ରମୁଖ ପଞ୍ଚାୟତର ପାଖାପାଖି ୨୦ହଜାର ଲୋକମାନେ ନିର୍ଭର କରନ୍ତି। ଡାକ୍ତର ନ ଥିବା ଯୋଗୁଁ ରୋଗୀମାନେ ଫେରିଯିବା ଦେଖିବାକୁ ମିଳୁଛି ଏବଂ କେସିଙ୍ଗା, ଭବାନୀପାଟଣା, ଟିଟଲାଗଡ ଓ ବଲାଙ୍ଗିର ଯାଇ ନାନା ହଇରାଣ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଂଗଠକ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ସାକ୍ଷାତ କରିବା ପାଇଁ ଯାଇଥିଲେ। କିନ୍ତୁ କେହି ନ ଥିବା ହେତୁ ଜିଲ୍ଲାପାଳ ଅଫିସର ଗ୍ରିଭାନ୍ସ୍ ସେଲରେ ଥିବା ଆସିଷ୍ଟାଣ୍ଟ୍ କଲେକ୍ଟର ଧୀରଜ କୁମାର ପଟ୍ଟନାୟକଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ଦେଇଥିଲେ ଏବଂ ଗତ ଡିସେମ୍ବର ମାସ ୨୮ତାରିଖରେ ରାଜ୍ଯ ସରକାର ୨୩୯୨ ଜଣ ଡାକ୍ତର ନିଯୁକ୍ତି ଦେଇଥିଲେ, କିନ୍ତୁ ସରକାର ଏବେ ଯାଏଁ କଣ ପାଇଁ ଏହି ଅଞ୍ଚଳକୁ ଦ୍ରୁଷ୍ଟି ଦେଇନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଯଦି ଆସନ୍ତା ୧୫ଦିନ ଭିତରେ ସ୍ଥାୟୀ ଡାକ୍ତର, ଲେବୋରେଟାରୀ, ଟେକନିସିଆନ୍ ନିଯୁକ୍ତି ଦିଆ ନ ଗଲେ ସ୍ଥାନୀୟ ଜନସାଧାରଣଙ୍କ ମିଶି ଆନ୍ଦୋଳନ କରିବା ସହ ଦାବି ପୂରଣ ନ ହେବା ଯାଏଁ ଧାରଣା ଦେବା ପାଇଁ ବାଧ୍ଯ ହେବୁ ବୋଲି ଚେତାବନୀ ଦେଇଛନ୍ତି। ଦାବି ପତ୍ର ଦେବା ସମୟରେ କଂଗ୍ରେସ ନେତ୍ରୀ ମହେନ୍ଦ୍ରୀ ସାହୁ, ବାଦିପଡାର ଟୁକୁଚନ୍ଦ୍ର ସାହୁ ଖଜୁରପଡାର ଏଡଭୋକେଟ୍ କ୍ଷିରୋଦ କୁମାର ନାଗ, ବେଲଖଣ୍ଡିର ବିରେନ୍ଦ୍ର କୁମାର ଚୌଧୁରୀ, କୁଞ୍ଜ ସାହୁ, ଟୁକୁରାମ ସାହୁ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.