ବିଶିମୁଣ୍ଡା ଠାରେ ଟ୍ରକ ଓଲଟି ୧୫ ଗୋରୁ ମୃତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଥାନା ବିଶିମୁଣ୍ଡା ନିକଟରେ ସୋମ‌ବାର ଭୋରରେ ଏକ ଗୋରୁ ବୋଝେଇ ଟ୍ରକ୍ ରାସ୍ତା ପାର୍ଶ୍ଵରେ ଓଲଟି ପଡିବା ଫଳରେ ୧୫ ଗୋରୁଙ୍କ ମୃତ୍ୟୁ ଘଟିବା ସହ ୧୦ ଗୋରୁ ଗୁରୁତର ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏବେ ଗୋରୁ ବେପାରୀ ମାନେ ଅଭିନବ ଉପାୟରେ ଗୋରୁ ଚାଲାଣ କରୁଥିବା ବେଳେ ଟ୍ରକ୍ ଉପରେ ସ୍ଵତନ୍ତ୍ର ଥାକ କରି ଟମାଟୋ ଓ ଗାଜର ଥିବା ବେଳେ ତଳେ ଗୋରୁ ଚାଲାଣ ହେଉଥିବା ଦେଖା ଯାଇଥିଲା। ପ୍ରାୟ ୪୦ଟି ଗୋରୁଙ୍କୁ ନେଇ ଏକ ୧୬ ଚକିଆ ଟ୍ରକ୍ ( ଜେଏଚ୦୫ଏ-୨୯୩୨) ବୁର୍ଡା- ଅର୍ଜୁନପୁର ରାସ୍ତାରେ ବଲାଙ୍ଗୀର ଜିଲ୍ଲା ରୁ ସୋନପୁର ଅଭିମୁଖେ ଆସୁଥିଲା ବେଳେ କୌଣସି କାରଣ ରୁ ଉକ୍ତ ଟ୍ରକ୍‌ଟି ଓଲଟି ପଡିଥିଲା। ଘଟଣା ପରେ ଭୟରେ ଗୋରୁ ମାଫିଆ ଓ ଡ୍ରାଇଭର ଫେରାର ହୋଇ ଯାଇଥିଲେ। ରାସ୍ତାରେ ଆସୁଥିବା ଲୋକେ ଏହା ଦେଖି ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ। ଟ୍ରକ୍ ତଳେ ଚାପି ହୋଇଥିବା ଗୋରୁକୁ ଲୋକେ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ପ୍ରାୟ ୧୫ ଗୋରୁ ଙ୍କ ମୃତ୍ୟୁ ହୋଇ ସାରିଥିଲା। ଆହତ ଗୋରୁଙ୍କୁ ଗୋଶାଳା ରେ ରଖା ଯାଇଥିବା ଜଣାପଡ଼ିଛି। ମୃତ ଗୋରୁଙ୍କୁ ଗାତ ଖୋଳି ପୋତି ଦିଆଯାଇଥିଲା। ସେପଟେ ସୋନପୁର ଥାନାରେ ୩୦/୨୪ ରେ ଏକ ମାମଲା ରୁଜୁ କରାଯାଇ ଟ୍ରକ୍ କୁ ଜବତ କରି ତଦନ୍ତ ଚଳାଇଛି ସୋନପୁର ପୋଲିସ୍ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ଟ୍ରକ୍ ରେ ବିଭିନ୍ନ ରାଜ୍ୟ ର ଅନ୍ୟାନ୍ୟ ଚାରିଟି ନମ୍ବର ପ୍ଲେଟ ଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.