ରାଜମିସ୍ତ୍ରୀକୁ ନିର୍ମମ ହତ୍ୟା ଘଟଣା : ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣସପଡ଼ି ସାହିର ପ୍ରଶାନ୍ତ ପୂଜାରୀ ନାମକ ଜଣେ ରାଜମିସ୍ତ୍ରୀକୁ ଏକ ନିର୍ମାଣାଧୀନ କୋଠା ମଧ୍ୟରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ମଙ୍ଗଳବାର ତିନିଦିନ ବିତିଥିବା ବେଳେ ପୁଲିସର ହାତ ଖାଲି ରହିଛି। ପ୍ରଶାନ୍ତକୁ ଶନିବାର ରାତିରେ ନିର୍ମାଣ କୋଠାକୁ ଡାକି ମୁହଁ, ବେକ ଓ ନାକକୁ ଧାରୁଆ କାତିରେ ହଣାଯାଇ ବେକରେ ଶାବଳ ଭୁସି ହତ୍ୟା କରିଦିଆଯାଇଥିଲା। ଏହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ବାଲିଗୁଡା ସହର ମଧ୍ୟରେ ଏଭଳି ବିବତ୍ସ ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣାରେ ବାଲିଗୁଡ଼ା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ତଦନ୍ତ ଭାର ନେଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ତେବେ ପ୍ରଶାନ୍ତଙ୍କୁ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା ଏନେଇ ଘଟଣାର ତିନି ଦିନ ବିତିଥିବା ବେଳେ ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତା କିମ୍ବା ବଚସାରୁ ତାଙ୍କୁ ଏଭଳି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥାଇପାରେ ବୋଲି ପାରିପାର୍ଶ୍ଵକ ସ୍ଥିତିରୁ ଅନୁମାନ କରାଯାଉଥିବା ପୁଲିସ କହିଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ଯେ, ତଦନ୍ତ ଚାଲିଛି, ଏହି ଘଟଣା ରେ କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.