ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ନୂତନ ଟାଉନ ହଲ୍ ରେ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ସମସ୍ତ ମତଦାତାଙ୍କୁ ସଂକଳ୍ପ ପାଠ କରାଇଥିଲେ। ଯୁବ ନୂଆ ଭୋଟର ମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କ ହାତରେ ଦେଶର ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ସେ ଉଦ୍ବୋଧନ ଦେଇଥିଲେ। ଜାତୀୟ ମତଦାତା ଦିବସ ଅବସରରେ ନୂତନ ଯୁବ ଭୋଟର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ହୋଇଥିବା ରଚନା, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭୋଟର ସଚେତନତା ଓ ଭୋଟର ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ନିର୍ବାଚନମଣ୍ଡଳୀ ସୋନପୁରର ତରଭା ବିଡିଓ ଅନିଲ କୁଲୁ, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିନିକା ବିଡିଓ ପ୍ରମୋଦ କୁମାର ମେହେର ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ, ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ନିର୍ବାଚନ ଅଧିକାରୀ ଯଶସ୍ଵିନୀ ପୃଥାଳ ଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନି କୁମାର ଭୋଇ, ଜୟଦ୍ରଥ ଜଗଦଲା, ପଦ୍ମଲୋଚନ ଧରୁଆ ଏବଂ ଅନ୍ୟାନ୍ୟ କର୍ମଚାରୀ ସହାୟତା ପ୍ରଦାନ କରିଥିଲେ। ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ। ସଭା ପୂର୍ବରୁ ସ୍ଥାନୀୟ ରୋୟାଲ ପଡ଼ିଆରୁ ଏକ ୱାକାଥନ ରେଲି ରେ ସୋନପୁର ମହାବିଦ୍ୟାଳୟର ଏନସିସି କେଡେଟ୍, ଇନଫିନିଟିର କର୍ମକର୍ତ୍ତା ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ, ନୂତନ ଭୋଟର ଏବଂ ଗଣମାଧ୍ୟମର ପ୍ରତିନିଧି ଅଂଶଗ୍ରହଣ କରିଥିଲେ।






