ଆନ୍ତର୍ଜାତୀୟ କୋଲକାତା ବହିମେଳାରେ ଅନୁଷ୍ଠିତ ହେଲା ସାହିତ୍ୟ ଏକୋଡମୀର ବହୁଭାଷୀ କବି ସମ୍ମିଳନୀ

ଓଡ଼ିଆ ଭାଷାରୁ ଯୋଗ ଦେଲେ କବି କୃଷ୍ଣ କୁମାର ମହାନ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳା ପରିସରସ୍ଥ ଏସବିଆଇ ସଭାଘରେ ଏକ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ପୂର୍ବାଞ୍ଚଳ କାର୍ଯ୍ୟାଳୟର ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ ବହୁଭାଷୀ କାର୍ଯ୍ୟକ୍ରମ ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସାରସ୍ବତ ଭାବ ବିନିମୟ ମାଧ୍ୟମରେ ବିଭିନ୍ନ ଭାରତୀୟ ସାହିତ୍ୟ ଏବଂ ସଂସ୍କୃତିକୁ ଯୋଡିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ସେ କହିଥିଲେ। ଏହି କବି ସମ୍ମିଳନୀରେ ୧୧ଟି ଭାଷାର କବି ଯୋଗ ଦେଇ ସ୍ଵରଚିତ କବିତା ପାଠ କରିଥିଲେ। ମଞ୍ଜିମା ଗୋଗୋଇ ଦାସ (ଆସାମୀ), ପ୍ରସୁନ ବନ୍ଦୋପାଧ୍ୟାୟ (ବଙ୍ଗଳା), ସଂଯୁକ୍ତା ବନ୍ଦୋପାଧ୍ୟାୟ (ବଙ୍ଗଳା), ଅନିଲ କୁମାର ଓଝା (ଭୋଜପୁରୀ), ରାଜର୍ଷି ଏନ ପତ୍ରନବିସ୍ (ଇଂରାଜୀ), ରାଜ୍ୟବର୍ଦ୍ଧନ (ହିନ୍ଦୀ), ଚନ୍ଦନ କୁମାର ଓଝା (ମୈଥିଳି), ଆଶା ଉପାଧ୍ୟାୟ ‘ବାରାଲ’ (ନେପାଳୀ), କୃଷ୍ଣ କୁମାର ମହାନ୍ତି (ଓଡିଆ), ଭୁପିନ୍ଦର ସିଂ ବଶର (ପଞ୍ଜାବୀ), ଆଦିତ୍ୟ କୁମାର ମାଣ୍ଡି (ସାନ୍ତାଳୀ) ଏବଂ ଫେ ସିନ୍ ଏଜାଜ (ଉର୍ଦ୍ଦୁ) ସ୍ବରଚିତ କବିତା ପାଠ କରିଥିଲେ। ଓଡ଼ିଆ କବି କୃଷ୍ଣ କୁମାର ମହାନ୍ତିଙ୍କ କବିତା ‘ଜନ୍ମଦିନ’ ଖୁବ ପ୍ରଶଂସିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଏକାଡେମୀର ସହକାରୀ ସମ୍ପାଦକ କ୍ଷେତ୍ରବାସୀ ନାଏକ। ଏଥିରେ ବହୁ ବଙ୍ଗଳାଭାଷୀ ଶ୍ରୋତା ଉପସ୍ଥିତ ରହି କବିତା ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.