ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ୭୫ତମ ସାଧାରଣତନ୍ତ୍ର ଦିବସର ଅମୃତ ଅବସରରେ କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ଝିଅ ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ ତରଫରୁ ୫ ଜଣ ଝିଅଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ସାଇକେଲ ବଣ୍ଟନ କରାଯାଇଛି। ଏମାନେ ହେଲେ ବାଗଡ଼ିଆନି ଗ୍ରାମର ଜ୍ୟୋତ୍ସ୍ନା ମାଝୀ, ସୁକସାନ ଗ୍ରାମର
ସୁବୁନା ମାଝୀ, ଲାଠିଆଗୁଡା ଗ୍ରାମର ଅବନ୍ତି ମାଝୀ, ଜଟାଙ୍ଗ ପଡ଼ା ଗ୍ରାମର ଲଭଲୀ ମାଝୀ ଏବଂ ଧୁଳିଗୁଡ଼ା ଗ୍ରାମର ପ୍ରିୟଙ୍କା ମାଝୀ।ବି.ଆର୍.ସି.ସି ଶ୍ରୀ ସୁରେଶ ଚନ୍ଦ୍ର ବେହେରା ଏବଂ ଏ.ବି.ଇ.ଓ ଶ୍ରୀ ଚନ୍ଦ୍ର ଶେଖର ନାଏକ ଝିଅ ମାନଙ୍କୁ ସାଇକେଲ ବଣ୍ଟନ କରିଥିଲେ ଓ କର୍ତ୍ତବ୍ୟ ଅନୁଷ୍ଠାନ ତରଫରୁ ଝିଅ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ଉଭୟେ ଅନେକ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପ୍ରୋଗ୍ରାମ ମେନେଜର୍ ଶ୍ରୀ ସନ୍ତୋଷ ଦାସ କହିଥିଲେ ଅଞ୍ଚଳରେ ଅନେକ ଏମିତି ଝିଅ ଅଛନ୍ତି ଯେଉଁ ମାନେ ଆଗକୁ ପାଠ ପଢ଼ିବାକୁ ଚାହୁଁଛନ୍ତି କିନ୍ତୁ ବିଦ୍ୟାଳୟର ଦୂରତା ଏବଂ ପରିବାରର ଆର୍ଥିକ ସ୍ଥିତି କାରଣରୁ ଅଧାରୁ ପାଠପଢ଼ା ଛାଡ଼ି ଦେଉଛନ୍ତି ଏଣୁ ଆମ ଅନୁଷ୍ଠାନ ତରଫରୁ ଏହା ଏକ ଛୋଟ ପ୍ରଚେଷ୍ଟା ଯାହାଦ୍ଵାରା ଝିଅମାନେ ଆଗକୁ ବଢିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇପାରିବେ। ଏମିତି ଅବହେଳିତ ହୋଇ ଅନେକ ଝିଅ ଅଛନ୍ତି କିନ୍ତୁ ଆମର ସକ୍ଷମ ହିସାବରେ ଆମେ କେବଳ ୫ ଜଣ ଝିଅଙ୍କୁ ସାଇକେଲ ଓ ୨୦୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସାମଗ୍ରୀ ଯୋଗାଇ ପାରିଲୁ ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ମୁଁ ଦୁଃଖିତ ହେଲେ ସରକାରଙ୍କୁ ମଧ୍ୟ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଦାସ ମତ ପ୍ରକାଶ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ସୁଦର୍ଶନ ନାଏକ, ଅମିତ୍ ନାୟକ, ପ୍ରତିମା ନାଏକ, ଡମ୍ବରୁଧର ନାଏକ, ସାନୁ ମାଝୀ, ତୁଳସୀ ମାଝୀ, ସୌମ୍ୟ ମାଝୀ ଓ ସାଇକେଲ ପାଇଥିବା ଝିଅ ମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ଅଭିଭାବକ ମାନେ ଏଥିପାଇଁ କର୍ତ୍ତବ୍ୟ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ ଓ ନିଶ୍ଚିତ ଆମ ଝିଅ ମାନଙ୍କୁ ଆଗକୁ ବଢିବାକୁ ପାଠ ପଢ଼ାଇବୁ ବୋଲି ନିଷ୍ପତ୍ତି ନେଇଥିଲେ ।





