ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବନିର୍ବାଚିତ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏନେଇ ନର୍ଲା ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀମତୀ ମହାନ୍ତିଙ୍କ ସମେତ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବୀରେନ୍ଦ୍ର ବାଗ, ସାଧାରଣ ସଂପାଦକ ଧୀରେନ୍ଦ୍ର ପଟ୍ଟନାୟକ, ଜିଲ୍ଲା କୋର୍ କମିଟି ସଦସ୍ୟ ତପନ କୁମାର ବେହେରା, ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଜିତ କୁମାର ନାୟକ, ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୀନକେତନ ସାହୁ, ସାଧାରଣ ସଂପାଦକ ଅମିତ କୁମାର ଶର୍ମା ପ୍ରମୁଖ ମଞ୍ଚାସୀନ ଥିଲେ। ବିଧାୟିକା ଶ୍ରୀମତୀ ମହାନ୍ତିଙ୍କୁ ସଂଘ ପକ୍ଷରୁ ଉପଢୌକନ ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ସେ ଶିକ୍ଷା ଭିତ୍ତଭୂମିର ବିକାଶ ଦିଗରେ ଶତ ପ୍ରତିଶତ ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଶିକ୍ଷକ ଅନୀଲ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ନର୍ଲା ବ୍ଲକ ସଂପାଦକ ଅମିତ କୁମାର ଶର୍ମା ସ୍ଵାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଶରତ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀମତୀ ମହାନ୍ତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।