ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୧୫/୯ ମଙ୍ଗଳବାର ସମ୍ପନ୍ନ ହୋଇଛି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ। କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଭବାନୀପାଟଣା, ମ.ରାମପୁର, ଜୁନାଗଡ, ଜୟପାଟଣା, ଲାଞ୍ଜିଗଡ ଭଳି ଅଞ୍ଚଳରେ ଦଶମୀ ତିଥିରେ ନୂଆ ଖାଇବେ। ଏହି ଅଞ୍ଚଳ ସବୁକୁ ବାଦ ଦେଲେ କଳାହାଣ୍ଡି ଜିଲ୍ଲା ସାରା ଗତ ୧୫/୯ ମଙ୍ଗଳବାର ନୂଆ ଖାଇ ସାରିଛନ୍ତି।
ଆଜି ବୁଧବାର ନୂଆଖାଇ ବାସୀ। ବାସୀ ପର୍ବ ପାଇଁ ଆମିଷ ସାମଗ୍ରୀ ଗୁଡିକର ଦର ଟିକେ ଚଢା ରହିଥିଲେ ମଧ୍ୟ ଆମିଷ ମାର୍କେଟରେ ଗ୍ରାହକଙ୍କ ଭିଡ କମିବାର ନାଁ ଧରୁନି। ନୂଆଖାଇ ଭାଇଚାରାର ପର୍ବ। ଘରେ ଘରେ ପୁର ପଲ୍ଲୀରେ ନୂଆ ଖାଇ ସାରିବା ପରେ ନୂଆଖାଇ ଭେଟଘାଟ ଓ ଜୁହାର ଭେଟ ର ଆସର ବେଶ ହୃଦୟ ସ୍ପର୍ଶି। ଗାଁ ଗାଁରୁ ଦାଦନ ଖଟି ଯାଇଥିବା ଲୋକେ ପରିବାର ପାଖ ନିଜ ଗାଁକୁ ଫେରିଥାନ୍ତି ଏକତ୍ର ନୂଆଖାଇ ମନେଇବା ପାଇଁ। ମନ ମନାନ୍ତର ମତଭେଦ ଭୁଲି ଏହି ପର୍ବରେ ସମସ୍ତେ ସାମିଲ ହୋଇ ଜୁହାର ଭେଟ ହେବା ସହିତ ମାନ ଅଭିମାନ ଭୁଲି ଯାଇଥାନ୍ତି।

ହେଲେ ବର୍ତ୍ତମାନ ଏହି ପର୍ବରେ ମଦ ନିଜର କାୟା ବିସ୍ତାର କରି କେତେକ ସ୍ଥାନରେ ଅପ୍ରିତିକର ପରିସ୍ଥିତି ଉପୁଜିବା ସହିତ ପରସ୍ପର ମଧ୍ୟରେ ଝଗଡା, ମାର ପିଟ ହୋଇ ନୂଆଖାଇ ବାସୀରୁ ଲୋକେ ଥାନାର ଚକ୍କର କାଟୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ନୂଆଖାଇ ସନ୍ଧ୍ୟାରୁ ମଦ ପିଇ ଲୋକେ ପରସ୍ପର ମଧ୍ୟରେ ଝଗଡ଼ା ହୋଇଥିବା ଅନେକ ମାରପିଟ କେସ ଥାନାକୁ ଆସିଥିବା ଜଣାପଡ଼ିଛି। ଅନେକ ଭଦ୍ର ଲୋକ ଏହି ବାସୀ ଦିନରେ ଝଗଡା ଝାଟିର ଆଶଙ୍କା କରି ଘରୁ ପଦାକୁ ବାହାରି ନଥାନ୍ତି।





