ବାଲେଶ୍ୱର ଆରପିଏଫ୍ ଯାତ୍ରୀସେବାରେ ସୃଷ୍ଟି କଲା ନୂଆ ଉଦାହରଣ : ହଜିଥିବା ବ୍ୟାଗ୍ ଫେରାଇଲା ଯାତ୍ରୀଙ୍କୁ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ରେଳ ଷ୍ଟେସନରେ ଛାଡ଼ି ଯାଇଥିବା ଜଣେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଥିବା ବ୍ୟାଗ୍‌କୁ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ଠାବ କରି ନିରାପଦରେ ତାଙ୍କୁ ଫେରାଇ ଦେଇଛି।ସେପ୍ଟେମ୍ବର ୧୧ ତାରିଖରେ ‘ରେଳ ମଦଦ୍‌’ ମାଧ୍ୟମରେ ଏକ ଅଭିଯୋଗ ମିଳିଥିଲା ଯେ, ବାଲେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଏକ ନୀଳ ରଙ୍ଗର ସ୍କାଏ ବ୍ୟାଗ୍‌ ଛାଡ଼ି ଯାଇଥିଲା। ବାଲେଶ୍ୱରର ଶିବଶଙ୍କର ଖଟୁଆ ଏହି ଅଭିଯୋଗ କରିଥିଲେ। ସେ ଟ୍ରେନ୍ ନମ୍ବର ୧୮୦୪୭ରେ ଯାତ୍ରା କରିଥିଲେ। ଅଭିଯୋଗ ପାଇବା ପରେ ସିଫ୍ଟ ତଦାରଖ ଓ ନିୟମିତ ରାଉଣ୍ଡ ସମୟରେ ଏଏସ୍ଆଇ ଏ.କେ. ମହାଲିକ ତୁରନ୍ତ ପଦକ୍ଷେପ ନେଇଥିଲେ। ତାଙ୍କ ସମନ୍ୱୟରେ ବ୍ୟାଗ୍‌ଟିକୁ ଠାବ କରାଯାଇ ସୁରକ୍ଷିତ ଭାବେ ଆରପିଏଫ୍ ପୋଷ୍ଟରେ ରଖାଯାଇଥିଲା। ବ୍ୟାଗ୍‌ରେ ହାତଘଡ଼ି, ଚାର୍ଜର, ୧,୫୦୦ ଟଙ୍କା ନଗଦ ଥିବା ପର୍ସ, ଆଧାର କାର୍ଡ ଓ ଏଟିଏମ୍ କାର୍ଡ ସମେତ ଅନ୍ୟାନ୍ୟ ସାମଗ୍ରୀ ଥିଲା। ସମସ୍ତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧୦,୦୦୦ ଟଙ୍କା ହେବ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୧୨ ତାରିଖ ସକାଳ ପ୍ରାୟ ୧୦ଟା ୩୦ ମିନିଟ୍‌ରେ ଶ୍ରୀ ଖଟୁଆ ଆରପିଏଫ୍ ପୋଷ୍ଟରେ ପହଞ୍ଚିଥିଲେ। ଆବଶ୍ୟକ ଯାଞ୍ଚ ଓ ପ୍ରମାଣିକରଣ ପରେ ବ୍ୟାଗ୍‌ଟିକୁ ଅକ୍ଷୁଣ୍ଣ ଅବସ୍ଥାରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ନିଜର ହଜିଥିବା ବ୍ୟାଗ୍‌ ଓ ସାମଗ୍ରୀ ଫେରି ପାଇବା ପରେ ଶ୍ରୀ ଖଟୁଆ ଆରପିଏଫ୍ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.