ନୂଆଖାଇ କେବଳ ପଶ୍ଚିମ ଓଡ଼ିଶାର ଗଣପର୍ବ ନୁହଁ, ବିଶ୍ଵ ଭାତୃତ୍ବର ଏକ ମହାନ ପାର୍ବଣ। ଏହିପର୍ବ ମାନବ ସମାଜକୁ ଏକ ମହାନ ତତ୍ବ ଦର୍ଶନ ପ୍ରଦାନ କରିଥାଏ, ଯାହା ଅନ୍ୟ ପର୍ବରେ ଦେଖାଯାଏ ନାହିଁ। ଭାରତୀୟ ଆଦିମ ଆଦିବାସୀ ସଂସ୍କୃତିରେ ଅନ୍ନକୁ କେନ୍ଦ୍ର କରି ଯେଉଁ ମହାନ ଦର୍ଶନ ତତ୍ତ୍ୱ ପ୍ରତିଫଳିତ ହୋଇଛି, ତାହା ବିଶ୍ୱର ଅନ୍ୟ କୌଣସି ସମୃଦ୍ଧ ସଭ୍ୟତାରେ ଦୃଷ୍ଟିଗୋଚର ହୁଏନାହିଁ। ଆଦିବାସୀ ପରମ୍ପରାରେ ଅନ୍ନପୂଜା କ୍ରମରେ ପିତୃପୂଜା ଓ ପିତୃପୂଜା କ୍ରମରେ ଅନ୍ନପୂଜାର ପ୍ରାଧାନ୍ୟ ରହିଛି। ପ୍ରାଗ୍ଐତିହାସିକ ଯୁଗର ଶିକାରଜୀବୀ ମନୁଷ୍ୟର ମାନସତତ୍ତ୍ୱ ବିଭିନ୍ନ ସ୍ତରରେ ବିବର୍ତ୍ତିତ ହୋଇ ଅନ୍ନ ତତ୍ତ୍ୱ ମଧ୍ୟରେ ନିହିତ ହୋଇଥିଲା। ଆଦିମ ସମାଜର ପିତୃପୁରୁଷ ପୂଜା, ଡଙ୍ଗର ପୂଜା ଓ ଧର୍ମଦେବତା ପୂଜାରୁ ପରବର୍ତ୍ତି ସମୟରେ ସମସ୍ତ ଦେବତାମାନଙ୍କ ବିବର୍ତ୍ତନ ସମ୍ଭବ ହୋଇଛି। ସେହିପରି ଶିକାରଜୀବୀ ସମାଜରେ ଅରଣ୍ୟଦେବୀ ଭାବେ ଉପାସିତା ଧରିତ୍ରୀମାତା କୃଷିଜୀବୀ ସମାଜରେ କୃଷି ଆଧାରର ଦେବୀ ଭୂଦେବୀ ବା ଧର୍ନୀଦେବୀ ଭାବେ ପରିବର୍ତ୍ତିତ ହେଲେ। ଧର୍ନୀ ତତ୍ତ୍ୱରୁ ପରବର୍ତ୍ତୀ ସମୟରେ ମାତୃଦେବୀ / ଉପଦେବୀମାନଙ୍କର ବିବର୍ତ୍ତନ ହୋଇଥିଲା।ଧର୍ନୀ ଦେବୀ ବା ଭୂଦେବୀଙ୍କ ଦ୍ୱାରା ଅନ୍ନ ସମ୍ଭବ ହେଉଥିବାରୁ କୃତଜ୍ଞତା ସ୍ୱରୂପ କୃଷିଜୀବୀ ସମାଜ ଶସ୍ୟଦାୟିନୀ ଧର୍ନୀଦେବୀଙ୍କଠାରେ ପ୍ରଥମ ଅମଳଯୋଗ୍ୟ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମାଧ୍ୟମରେ ଅର୍ପଣ ପୂର୍ବକ ଭକ୍ଷଣ କରିବାର ବିଧିବିଧାନରୁ ନବାନ୍ନ ପାର୍ବଣର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ।
ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ଶସ୍ୟପୂଜା ବା ନବାନ୍ନ ଭକ୍ଷଣର ପାରମ୍ପରିକ ବିଧିବିଧାନ ଥିବାବେଳେ ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଅଂଚଳରେ ଏହା ନୂଆଖାଇ ନାମରେ ଏକ ମହାନ ଗଣଚେତନାର ପର୍ବ ରୂପ ନେଇ ସାମାଜିକ ସଂହତିର ଶ୍ରେଷ୍ଠ ଲୋକ ଅନୁଷ୍ଠାନ ଭାବେ ପାଳିତ ହୋଇଆସୁଛି। ପ୍ରାଗ୍ ଐତିହାସିକ ଯୁଗର ଗୁଡ଼ହାଣ୍ଡି ଗୁମ୍ଫାଚିତ୍ର ଓ ବିକ୍ରମଖୋଲ ଗୁହାଚିତ୍ର ସମେତ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଶସ୍ୟପାତ୍ର ଓ ଏହି ତତ୍ତ୍ୱର ସଙ୍କେତ ଥିବା ପରିଦୃଶ୍ୟ ହୁଏ। ପ୍ରାଗ୍ଐତିହାସିକ ସମୟରୁ ଏଠାକାର ଆଦିମ ଜନଜାତି ଶସ୍ୟକୁ ଦେବୀଜ୍ଞାନରେ ପୂଜାର୍ଚ୍ଚନା ସହ ପିତୃପୁରୁଷ ସମେତ ଧର୍ନୀମାତାଙ୍କୁ କୃତଜ୍ଞତା ଜ୍ଞାପନ କରିଆସୁଛନ୍ତି। ସେଥିପାଇଁ ସେମାନଙ୍କ ମାନସତତ୍ତ୍ୱରୁ ନୂଆଖାଇ ପରି ଏକ ମହାପାର୍ବଣର ସୃଷ୍ଟି ହୋଇଛି।
ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ, ଓଡ଼ିଆ ବାର୍ତ୍ତା





