ପ୍ରାଚୀନ କାଳରୁ ଆଦି ସଂସ୍କୃତିର ଧାରାକୁ ନେଇ ପରିପୃଷ୍ଟ ହୋଇଥିବା ମହାପାର୍ବଣ ନୂଆଖାଇର ଏକ ବିଶିଷ୍ଟ ତଥା ଅନ୍ତିମ ପର୍ଯ୍ୟାୟ ହେଉଛି ବନ୍ଧୁ ଭେଟ୍। ପାରିବାରିକ ଓ ସାମାଜିକ ବନ୍ଧନ ଦୃଢ଼ କରିବାରେ ଏହି ପାର୍ବଣ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ନୂଆଖାଇ ପର୍ବ ଭାଇ, ପାଖ ପଡିଶା, ଗାଁର ବନ୍ଧୁ ଆଦିଙ୍କୁ ଏକତା ସୁତ୍ରରେ ବାନ୍ଧିଥାଏ। ଗୃହକର୍ତ୍ତାମାନେ ଗୌନ୍ତିଆ, ଜାନୀ, ଝାଙ୍କର, ଗଣା ଆଦିଙ୍କୁ ମଧ୍ୟ ସାଧ୍ୟ ମୁତାବକ ଭାତିଆ ପ୍ରଦାନ କରିଥାନ୍ତି। ନୂଆଖାଇ ସନ୍ଧ୍ୟାରେ ହଲିଆ ତୁଲିଆ ଓ ବୟୋବୃଦ୍ଧମାନେ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଘରକୁ ଯାଇ ଜୁହାର ଭେଟ ହେବା ସହ ନୂଆଖାଇ ଟଙ୍କା ଆଣି ମଦ ପିଇଥାନ୍ତି। ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତିମାନେ ତାସ୍ ଖେଳିବା ସହ ଢାପ୍, ଘୁଡ଼କା, ବାଡିଖେଲ, ଘୁମୁରା ଆଦି ମନୋରଞ୍ଜନଧର୍ମୀ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥାନ୍ତି।
ନୂଆଖାଇ ପରଦିନକୁ ବାସି ଭାବେ ପାଳନ କରାଯାଏ। ଏହା ହେଉଛି ମଉଜ ମଜଲିସର ଦିନ। ଘରେ ଘରେ ମାଂସ ରନ୍ଧାଯାଇ ସମସ୍ତେ ଖୁସି ମନରେ ଖାଇଥାନ୍ତି। ଚାଷୀ, ଖଟିଖିଆ ଓ ବିଭିନ୍ନ କର୍ମଜୀବୀ ଏହି ଅବସରରେ ସମସ୍ତ ଦୁଃଖ କଷ୍ଟ ଭୁଲି ଯାଇଥାନ୍ତି। ନୂଆଖାଇର ସପ୍ତାହେ ମଧ୍ୟରେ ଗୃହକର୍ତ୍ତା କିମ୍ବା ପରିବାରର ସଦସ୍ୟମାନେ ଝିଅଜ୍ୱାଇଁ, ବନ୍ଧୁବାନ୍ଧବ ଘରକୁ ବୁଲିଯିବାର ମଧ୍ୟ ପରମ୍ପରା ରହିଛି। ନୂଆଖାଇ ପରେ ଘରକୁ କୁଣିଆ ଆସିଲେ ତାଙ୍କୁ ପରିବାର ପକ୍ଷରୁ ବିଶେଷ ଭାବେ ଚର୍ଚ୍ଚା କରାଯାଏ। ଲୋକେ ଏହି ସମୟରେ ଝିଅ ଜ୍ବାଇଁଙ୍କ ଘରେ ଅତି କମରେ ଦୁଇ ତିନି ଦିନ ବିତାଇ ନିଜ ଘରକୁ ଫେରିଥାନ୍ତି। ଏହାପରେ ଝିଅ ଜ୍ବାଇଁ/ ସମୁଦି ସମୁଦୁଣି ମଧ୍ୟ ଆସି ଦୁଇ ତିନି ଦିନରୁ ଆରମ୍ଭ କରି ସପ୍ତାହେ ପର୍ଯ୍ୟନ୍ତ କଟାଇଥାନ୍ତି। କେଉଁଏକ ଆବାହମାନ କାଳରୁ ଚଳିଆସିଥିବା ନୂଆଖାଇ ପାର୍ବଣ ମାଧ୍ୟମରେ ସମାଜରେ ଏକ ସୁସ୍ଥ ବାତାବରଣ ତିଆରି ହୋଇଥାଏ। ପାରିବାରିକ ଓ ସାମାଜିକ ବନ୍ଧନ ଦୃଢ଼ କରିବାରେ ଏହି ପାର୍ବଣ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।
ସୁନୀଲ କୁମାର ଧଙ୍ଗଡାମାଝୀ
ସମ୍ପାଦକ, ଓଡ଼ିଆ ବାର୍ତ୍ତା





