ନୂଆଖାଇରେ ବିଭୋର ଗ୍ରାମ୍ୟ ପରିବେଶ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶରତ ଆସିବା ସହ ଆରମ୍ଭ ହୋଇଛି ପାର୍ବଣ ଋତୁ। ଭାଦ୍ର ଶୁକ୍ଳ ପକ୍ଷ ଚତୁର୍ଥୀରେ ଆଦ୍ୟପୂଜ୍ୟ ଗଣପତିଙ୍କର ପୂଜା ସମାପନ ହୋଇଛି। ପଞ୍ଚମୀ ତିଥିରେ ନୂଆ ଖାଇବେ ପଶ୍ଚିମ ଓଡ଼ିଶାବାସୀ। ନୂଆ ଧାନ ଆଣିଦେଇଛି ସମସ୍ତଙ୍କ ମନରେ ନୂଆ ସପନ। ନୂଆଖାଇକୁ ନେଇ ବିଭୋର ହୋଇ ଉଠିଛି ଗ୍ରାମ୍ୟ ପରିବେଶ। ଏବେ ସହରୀ ଲୋକ ଭିନ୍ନ ଢ଼ଙ୍ଗରେ ନୂଆ ଖାଉଥିବାବେଳେ ବଦଳି ନାହିଁ ଗ୍ରାମାଞ୍ଚଳର ନୂଆଖାଇ ଧାରା। ସଭ୍ୟତାର କ୍ରମବିକାଶ ଧାରା ସହିତ ଆଦିବାସୀ ଚେତନାର ଅନେକ ଦେବାଦେବୀ ଆର୍ଯ୍ୟମାନଙ୍କ ଦ୍ୱାରା ମହାନ ଦେବାଦେବୀର ରୂପ ନେଇଛନ୍ତି। ସମୟଚକ୍ରରେ ପ୍ରକୃତି ଓ ପିତୃପୁରୁଷଙ୍କ ଉପାସନା କରୁଥିବା ଆଦିବାସୀ ମୂର୍ତ୍ତିତତ୍ତ୍ୱର ମଧ୍ୟ ଆଶ୍ରୟ ନେଇଛି। ତେବେ ନୂଆଖାଇ ଆଜି ମଧ୍ୟ ପ୍ରାଚୀନ ରୀତିନୀତି, ପରମ୍ପରା ଓ ଧର୍ମ ବିଶ୍ୱାସ ଦ୍ୱାରା ପାଳିତ ହୋଇଥାଏ। ନୂତନ ଶସ୍ୟ ଧର୍ନୀ ଦେବୀଙ୍କଠାରେ ଅର୍ପଣ କରିବା ସହ ଏହି ମହାନ ପାର୍ବଣର ସୃଷ୍ଟି କରିଥିବା ପିତୃପୁରୁଷଙ୍କୁ ନୂତନ ଧାନରୁ ତିଆରି ପ୍ରସାଦ ଅର୍ପଣ କରି ସେମାନଙ୍କଠାରେ କୃତଜ୍ଞ ରହିଥାଏ।  ସମସ୍ତଙ୍କ ସହଯୋଗରେ କୃଷକ ନୂତନ ଫସଲ ଉତ୍ପାଦନ କରିପାରୁଥିବାରୁ ସେ ତାର ଖୁସି ପରିବାର, ଗୋଷ୍ଠୀ ତଥା ସମାଜ ସହ ବ୍ୟକ୍ତ କରିବାର ଏକ ଅପୂର୍ବ ଅବସର ନୂଆଖାଇ ମାଧ୍ୟମରେ ପାଇପାରିଥାଏ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.