‘ମା’ ପାଇଁ ଗଛଟିଏ ୩.୦’ରେ ବୃକ୍ଷରୋପଣ, ଗଛ ଲଗାଇଲେ ବିଧାୟକ ରଘୁରାମ ମାଛ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ବାର୍ତ୍ତା ନେଇ କୋରାପୁଟ ବନଖଣ୍ଡ ପକ୍ଷରୁ ‘ମା’ ପାଇଁ ଗଛଟିଏ ୩.୦’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଛ ହେଉଛି ଜୀବନର ଆଧାର ଏବଂ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଉଦ୍ୟମ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ମା’ ପାଇଁ ଗଛଟିଏ ୩.୦’ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଉଦ୍ଘାଟନ କରିବା ସହ ନିଜେ ବୃକ୍ଷରୋପଣ କରିଥିଲେ। ଗଛ ଲଗାଇବା ସହ ଏହାର ସୁରକ୍ଷା ଓ ନିୟମିତ ଯତ୍ନ ନେବା ମଧ୍ୟ ପ୍ରତ୍ୟେକଙ୍କ ଦାୟିତ୍ୱ ବୋଲି ସେ ମତ ରଖିଥିଲେ। କେବଳ କାର୍ଯ୍ୟକ୍ରମ ଅବସରରେ ଗଛ ଲଗାଇଦେବା ନୁହେଁ, ଲଗାଯାଇଥିବା ଗଛ ବଞ୍ଚାଇବା ଓ ତାହାକୁ ବଡ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ।
ଏହି ଅବସରରେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। କୋରାପୁଟ ଭଳି ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଅଞ୍ଚଳରେ ଜଙ୍ଗଲ ଓ ଗଛଲତାର ସୁରକ୍ଷା ଆହୁରି ଗୁରୁତ୍ୱପୂର୍ଣ୍ଣ। ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସବୁଜ ପରିବେଶ ଛାଡ଼ିଯିବାକୁ ହେଲେ ଏବେଠାରୁ ବୃକ୍ଷରୋପଣ ଓ ବୃକ୍ଷ ସୁରକ୍ଷାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ବିଧାୟକ ରଘୁରାମ ମାଛ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସୁଶାସନ ସମ୍ପର୍କରେ ମତ ରଖିଥିଲେ। ଦେଶର ବିକାଶ ସହ ପରିବେଶ ସୁରକ୍ଷା ଓ ପ୍ରକୃତିର ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ‘ମା’ ପାଇଁ ଗଛଟିଏ ୩.୦’ କାର୍ଯ୍ୟକ୍ରମ ମାଧ୍ୟମରେ ଗଛକୁ କେବଳ ପରିବେଶର ଅଂଶ ଭାବେ ନୁହେଁ, ପରିବାର ଓ ଆଗାମୀ ପିଢ଼ି ସହ ଜଡ଼ିତ ଏକ ଦାୟିତ୍ୱ ଭାବେ ଗ୍ରହଣ କରିବାର ବାର୍ତ୍ତା ଦିଆଯାଇଥିଲା। ବୃକ୍ଷରୋପଣକୁ ଏକ ଦିନର କାର୍ଯ୍ୟକ୍ରମରେ ସୀମିତ ନରଖି ନିୟମିତ ଭାବେ ଗଛ ଲଗାଇବା ଓ ତାହାର ଯତ୍ନ ନେବା ପାଇଁ ମଧ୍ୟ ଲୋକଙ୍କୁ ଆହ୍ୱାନ କରାଯାଇଥିଲା।





