“ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଏକ ହେଲେ ଶିକ୍ଷକମାନଙ୍କ ସମସ୍ୟା ସହଜରେ ଦୂର ହେବ”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ରାଜ୍ୟରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଏକ ହେଲେ ସେମାନଙ୍କ ସମସ୍ୟା ସହଜରେ ସମାଧାନ ହୋଇପାରିବ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ପ୍ରକାଶ ଥାଉକି, ସୋମବାର ଭବାନୀପାଟଣା ସ୍ଥିତ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଜିଲ୍ଲା ସଂଗଠନ କର୍ମକର୍ତ୍ତାଙ୍କୁ ଉଦ‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଆମେ ସ୍ବକର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କଲେ ଫଳ ନିଶ୍ଚିତ ପାଇବା। କିନ୍ତୁ ଆମର ପାରିପାର୍ଶିକ ପରିସ୍ଥିତିକୁ ନେଇ ଆମେ ନାଚାର।।ରାଜ୍ୟରେ କିଛି ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ସରକାରଙ୍କ ସହ ଆନୁଷ୍ଠାନିକ ଭାବେ ଆଲୋଚନା କରିବା ପାଇଁ ଏକ ସାମୁହିକ ଦାବିପତ୍ର ପ୍ରସ୍ତୁତି କରାଯାଇଛି। ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସହ‌ଯୋଗିତା ଓ ସହଭାଗିତା ଭିତ୍ତିରେ ଆଗାମୀ ଦିନରେ କଣ କରାଯାଇପାରିବ, ମଧ୍ୟାନ୍ନ ଭୋଜନରେ ଦର ବୃଦ୍ଧି, ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ, ଅବିକଳ କେନ୍ଦ୍ରୀୟ ମୂଳ ବେତନ ୪୨୦୦ କରାଯିବା, ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କଳା ଶିକ୍ଷକ, ଖେଳ ଶିକ୍ଷକ ଓ ଭିନ୍ନକ୍ଷମ ସହାୟକ ଶିକ୍ଷକ ନିଯୁକ୍ତି, ପଦୋନ୍ନତି ଜନିତ ଅସୁବିଧାର ସମାଧାନ ଏବଂ ଏଲିମେଣ୍ଟାରି କ୍ୟାଡ଼ର ରୁଲ୍ ସଂଶୋଧନ ଏବଂ ଏମ୍ଏସିପି/ ଗୃହ ଋଣ/ ପେନସନ ମଞ୍ଜୁର କରିବା ପାଇଁ ତୁରନ୍ତ ଆଲୋଚନା କରିବା ନିମନ୍ତେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ତାରିଖ ଓ ସମୟ ନିମନ୍ତେ ଆବେଦନ ପତ୍ର ଦିଆଯାଇଛି। ସଂଗଠନ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମସ୍ୟା ଉପରେ ବିଶ୍ବାସ ରଖୁଛି କି, ତୁରନ୍ତ ଆଲୋଚନା ମାଧ୍ୟମରେ ତାହା ଦୂରୀଭୂତ ହୋଇପାରିବ। କଳାହାଣ୍ଡି ଜିଲ୍ଲାରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ପୂର୍ବ ବର୍ଷ ଯେଭଳି ଢୋ ଢୋ ବର୍ଷାରେ ନିଜର ହକ୍ ପାଇଁ ରାଲି କରିଥିଲା, ଯାହାଥିଲା ଆମ ଏକତାର ନିଦର୍ଶନ। ଠିକ କଳାହାଣ୍ଡି ଜିଲ୍ଲା ସଂଗଠନ ଭଳି ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଗୋଟିଏ ଛାତ ତଳେ ରହି ସରକାରଙ୍କ ସହ ଆଲୋଚନା କରି ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ଗୌରବ ବର୍ଦ୍ଧନ କରିବା ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.