ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ରଥଯାତ୍ରା ପରେ ନବଦିନାତ୍ମକ ଉତ୍ସବ ପବିତ୍ର ବାହୁଡାଯାତ୍ରା ସଂପନ୍ନ ହୋଇଯାଇଛି। ବିଶ୍ବବିଦ୍ୟାଳୟ ପରିସର ସ୍ଥିତ ମାଉସୀ ମା’ଙ୍କ ଘରେ ଦୀର୍ଘ ନଅ ଦିନ ରହି ଦର୍ଶନ ଦେବା ପରେ ଗତକାଲି ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଗହଣରେ ରଥଟଣା ହୋଇ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ ତିନିଠାକୁର। ମୁଖ୍ଯ ସେବକ ତଥା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ଆଡପ ମଣ୍ଡପ ଉପରେ ସମସ୍ତ ନୀତିକାନ୍ତି ସମାପନ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଯାଇ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ବିଜେ କରିଥିଲେ। ଏହାପରେ କୁଳପତିଙ୍କ ଦ୍ବାରା ଛେରାପହଁରା ସରିବା ପରେ ନୃତ୍ଯ, ଭଜନ, ସଂକୀର୍ତ୍ତନ, ଘଣ୍ଟ ଓ ହରିବୋଲ ସହ ଜୟ ଜଗନ୍ନାଥ ଧ୍ବନୀରେ ବିଶ୍ୱବିଦ୍ୟାଳୟର ପରିବେଶ ଅତ୍ୟନ୍ତ ଭକ୍ତିମୟ ହୋଇଯାଇଥିଲା। ଏହି ଅବସରରେ ରଥ ନିର୍ମାଣକାରୀ ବିଶ୍ବକର୍ମା ଓ ପ୍ରସାଦ ଭୋଜନ ପ୍ରସ୍ତୁତକାରୀ ବ୍ୟକ୍ତିବିଶେଷଙ୍କୁ କୁଳପତି ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆସନ୍ତା ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ତିନି ଦିଅଁଙ୍କ ସମସ୍ତ ନୀତିନିୟମ ସମ୍ପନ୍ନ ହେବ ବୋଲି ସୂଚୀତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.