ପ୍ରଭୁ ଯୀଶୁ ଥିଲେ କ୍ଷମାର ସାଗର, ଦୟା ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ। ସମଗ୍ର ବିଶ୍ୱରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିବସ ଡ଼ିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ମାନଙ୍କ ଦ୍ବାରା ବଡ଼ ଧୁମଧାମରେ ପାଳିତ ହୋଇଥାଏ। ବଡ଼ଦିନ ହେଉଛି ପ୍ରଭୁ ଯୀଶୁଙ୍କ ଜନ୍ମଦିନ ତଥା ପ୍ରେମ ଓ ସୌହାର୍ଦ୍ଦ୍ୟର ପ୍ରତୀକ। ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ ଆରମ୍ଭ ହୋଇ ବଡ଼ଦିନ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ତାହା ଦ୍ୱାଦଶ ଦିନରେ ସରି ଏକ ଉତ୍ସବ ପରି ପାଳିତ ହୁଏ। କିଛି ଦେଶରେ ଏହା ଆଠ ଦିନ ଧରି ପାଳିତ ହୁଏ। ବାଇବେଲ୍ର “ନ୍ୟୁ ଟେଷ୍ଟାମେଣ୍ଟ୍” ଅନୁସାରେ ବେଥ୍ଲେହେମ୍ଠାରେ ଯୀଶୁଙ୍କ ଜନ୍ମ ଗ୍ରହଣର ବୃତ୍ତାନ୍ତ ବଡ଼ଦିନ ଉତ୍ସବର ପାରମ୍ପରିକ ମୂଳଦୁଆ। ବେଥ୍ଲେହେମ୍ ସହରରେ କୁମାରୀ ମାତା ମେରିଙ୍କ ଠାରୁ ଯୀଶୁ ଜନ୍ମ ଗ୍ରହଣ କରିଥିଲେ ବୋଲି ସନ୍ଥ ଲ୍ୟୁକ୍, ସନ୍ଥ ମେଥ୍ୟୁ ଆଦି ନିଜ ଧର୍ମୋପଦେଶମାନଙ୍କରେ କହିଯାଇଛନ୍ତି। ଲ୍ୟୁକ୍ଙ୍କ ବିବରଣୀ ଅନୁସାରେ ଜୋସେଫ୍ ଓ ମେରି ନଜାରେତ୍ରୁ ବେଥ୍ଲେହେମ୍ ଯାତ୍ରା କରି ସେଠାରେ ମେରି ଯୀଶୁଙ୍କୁ ଜନ୍ମଦାନ କରିଥିଲେ ଓ ପାଳଗଦାର ଏକ ଛୋଟ ଝୁଲଣାରେ ଯୀଶୁଙ୍କୁ ରଖାଯାଇଥିଲା। ଯୀଶୁ ମାନବଜାତିର ତ୍ରାଣକର୍ତ୍ତା ହେବେ ବୋଲି ଦେବଦୂତମାନେ ଜଣାଇବା ପରେ ମେଷପାଳକମାନେ ଯୀଶୁଙ୍କୁ ସ୍ନେହର ସହିତ ଗ୍ରହଣ କରିଥିଲେ।