ଶାନ୍ତପୁର ଆର କେ ହାଇସ୍କୁଲରେ ଚାଲିଛି ହାଇମାକ୍ସ ଡ୍ରାମା

ପୁଣି ଧାରଣାରେ ବସିଲେ ପରିଚାଳନା ସମିତି ଓ ଅଭିଭାବକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ପିଏମଶ୍ରୀ ରାଧାକୃଷ୍ଣ ହାଇସ୍କୁଲରେ ଗତ ୩ ଦିନ ହେଲାଣି ଚାଲିଛି ହାଇମାକ୍ସ ଡ୍ରାମା। ଶନିବାର ସକାଳ ୭ ଘଣ୍ଟାରୁ ୫୦ ରୁ ଉର୍ଦ୍ଧ୍ବ ଅଭିଭାବକ, ଅଭିଭାବିକା ଓ ପରିଚାଳନା ସମିତିର ସଦସ୍ୟ ମାନେ ସ୍ଥାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ତିନି ମାସରେ ବଦଳିକୁ ନେଇ ଅପରାହ୍ନ ଯାଏଁ ଧାରଣାରେ ବସିଥିଲେ। ଆଉ ଆଶ୍ଚର୍ଯ୍ୟର କଥା ଯେ ପୂର୍ବତନ ପ୍ରଧାନ ଶିକ୍ଷକ ସରକାରଙ୍କ ପୁନଃ ନିଯୁକ୍ତି ର ଆଦେଶ ପତ୍ର ଧରି ଶନିବାର ସକାଳ ୮ ରୁ ବିଦ୍ୟାଳୟକୁ ଆସି ଜଏନ କରିବା ପାଇଁ ଆଡି ବସିବା ସହିତ ଧାରଣା କାରୀଙ୍କ ସହ ବଚସା କରିଥିଲେ। ଓ ସେଦିନ ସ୍କୁଲ ୧୧ ଟା ରେ ବନ୍ଦ ହୋଇଯିବା ସତ୍ତ୍ୱେ ରାତି ୯ ଟା ଯାଏଁ ଜଏନ କରିବା ପାଇଁ ଜଗି ବସିଥିଲେ। ଏହାକୁ ନେଇ ଅଭିଭାବକ ମହଲ ଓ ଗ୍ରାମର ଯୁବ ପିଢୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବତନ ବିବାଦୀୟ ପ୍ରଧାନ ଶିକ୍ଷକ ଙ୍କ ଉକ୍ତ ସ୍କୁଲ ରେ ପୁନଃ ଯୋଗଦାନ କୁ ବିରୋଧ କରି ଗ୍ରାମର ଯୁବକ ମାନେ ମଧ୍ୟ ରାତି ସାରା ଟର୍ଚ୍ଚ ଲାଇଟ ଧରି ପହରା ଦେଇଥିଲେ। ଆଉ ସୋମବାର ପୁଣି ଥରେ ସକାଳ ୯ ଟାରୁ ବିଦ୍ୟାଳୟ ରେ ପଢା ଚାଲୁଥିବା ବେଳେ ଗେଟ ବାହାରେ ସଭାପତି ଆତ୍ମାରାମ ମାଝୀଙ୍କ ନେତୃତ୍ୱରେ ପରିଚାଳନା ସମିତିର ଉପ ସଭାନେତ୍ରୀ ସଂଧ୍ୟା ମାଝୀ, ସରପଞ୍ଚ ଗିରିଧାରୀ ମାଝୀ, ସମିତି ସଦସ୍ୟ ଜୟ ମେହେର, ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଲୋକନାଥ ସା, ପୂର୍ବତନ ସରପଞ୍ଚ ଟିକେଧର ସାହୁ, ବରିଷ୍ଠ ସଦସ୍ୟ ତଥା ୱାର୍ଡ ସଭ୍ୟ ଗୌର ବିଶ୍ୱାଳ, ବୈଜୟନ୍ତୀ ଦୁର୍ଗା, ରାଜୁ ଶାସ୍ତ୍ରୀ, ଧରିତ୍ରୀ ସାହୁ, ସୁଧାଂଶୁ ଶେଖର ପଧାନ, ଦିଲୀପ ସା, ପ୍ରମୁଖଙ୍କ ସମେତ ୩୦୦ ରୁ ଉର୍ଦ୍ଧ୍ବ ଅଭିଭାବକ, ଅଭିଭାବିକା ଓ ଜନ ସାଧାରଣ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ବିବାଦୀୟ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁନା ଙ୍କୁ ନେଇଆସି ଆନ୍ଦୋଳନ କାରୀ ଙ୍କ ସହ ଆଲୋଚନା କରିଥିଲେ। ଲୋକଙ୍କ ଜିଦ ନୂଆ ସ୍ଥାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଆଦେଶ ବାତିଲ କରାଯାଉ। ପୂର୍ବତନ ବିବାଦୀୟ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଅନ୍ୟଥା ଖଣ୍ଡ ପ୍ରଳୟ ସୃଷ୍ଟି ହେବ ବୋଲି ଏକା ସ୍ୱରରେ ସମସ୍ତେ ରୋକ ଠୋକ୍ କହିଥିଲେ।ତିନି ମାସ ତଳେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଯୋଗଦାନ କରିଥିବା ଜ୍ୟୋତିର୍ମୟୀ ପାତ୍ରଙ୍କୁ ପାଣିମୁଣ୍ଡା ବଦଳି କରିଥିବାରୁ ଅଭିଭାବକ ଓ ପରିଚାଳନା ସମିତି ସଦସ୍ୟଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ। ବିଦ୍ୟାଳୟରେ ଗତ ଦେଢ଼ ବର୍ଷ ଧରି ଡେପ୍ଲଏଡ ପ୍ରଧାନ ଶିକ୍ଷକ ଭାବରେ ଦୁଇଗୋଟି ସ୍କୁଲ ର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ଏହି ତିନିମାସ ତଳେ ବିଦ୍ୟାଳୟରୁ ବିଦା ହୋଇଥିବା ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ଡାଇରେକ୍ଟର ଶାନ୍ତପୁର ପିଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁନଃ ନିଯୁକ୍ତି ଦେଇଛନ୍ତି। ଶିକ୍ଷା ବିଭାଗ ର ନିର୍ଦ୍ଦେଶକ ଙ୍କ ଏହି ନିର୍ଦ୍ଦେଶ କୁ ତୀବ୍ର ବିରୋଧ କରୁଛନ୍ତି ଅଞ୍ଚଳ ବାସୀ। ପୂର୍ବତନ ପ୍ରଧାନ ଶିକ୍ଷକ ତାଙ୍କ ମୂଳ ସ୍କୁଲ ପାଣିମୁଣ୍ଡା ହାଇସ୍କୁଲ ରେ ରହିବାରେ ତାଙ୍କର ଅସୁବିଧା ହେଲା କଣ? କାହିଁକି ଏହି ସ୍କୁଲ ରେ ହିଁ ଜଏନ କରିବା ପାଇଁ ଅଡି ବସିଛନ୍ତି?ହେଲେ ପରିଚାଳନା ସମିତି ସଦସ୍ୟ, ବୁଦ୍ଧିଜୀବୀ ଓ ଅଭିଭାବକ ମହଲର ଆଲୋଚନାରୁ ଶୁଣିବାକୁ ମିଳୁଛି ଯେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁନା ପୁଣି ଶାନ୍ତପୁର ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବରେ ପୁନଃ ଅବସ୍ଥାପିତ ହୋଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରି ମଣିଷ କରିବା ତାଙ୍କର ଉଦ୍ଧେଶ୍ୟ ନୁହଁ। ପରନ୍ତୁ ସେ ଆତ୍ମସାତ କରିଥିବା ଲକ୍ଷ ଲକ୍ଷ ଟଙ୍କା ର ପ୍ରମାଣ ସବୁ ନଷ୍ଟ କରିବା ପାଇଁ ବ୍ୟସ୍ତ ଓ ବ୍ୟଗ୍ର। ସେଥିପାଇଁ ସେ ନୂଆ ଭାବରେ ତିନିମାସ ତଳେ ପଦୋନ୍ନତି ପାଇ ଜଏନ କରିଥିବା ବିଦ୍ୟାଳୟର ସ୍ଥାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ପାତ୍ରଙ୍କୁ କୁଆଡ଼େ ଚାର୍ଜ ମଧ୍ୟ ଦେଇ ନଥିଲେ ନିଜ କଳା କାରନାମା ର ପୋଲ ଖୋଲିଯିବା ଭୟରେ ବୋଲି ଆଲୋଚନା ହେଉଛି। ସମିତି ସଦସ୍ୟ ଜୟ ମେହେର ଙ୍କ ହସ୍ତଗତ ହୋଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟ ରୁ ଜଣା ପଡିଛି ଯେ ଗତ ମଇ ମାସରେ ବିଦ୍ୟାଳୟ ପାଇଁ ସାମଗ୍ରୀ କିଣିବା ନିମନ୍ତେ ୨୯ ଲକ୍ଷ ଟଙ୍କା ବିଦ୍ୟାଳୟ ଆକାଉଣ୍ଟ ରୁ ଉଠାଇ ଥିଲେ। ହେଲେ ବିଦ୍ୟାଳୟ ପାଇଁ କୁଆଡେ କିଛି ବି ସାମଗ୍ରୀ କିଣା ହୋଇନଥିବା ସୂଚନା ମିଳିଛି। ଏହାର ମଧ୍ୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଅଞ୍ଚଳ ବାସୀ। ଅନ୍ୟପକ୍ଷେ ନ୍ୟାୟ ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପାତ୍ର। ଦେଖିବାକୁ ବାକି ରହିଲା କେତେ ଦିନ ହାତବାନ୍ଧି ବସୁଛି ଶିକ୍ଷା ବିଭାଗ? କେବେ ସରିବ ଏ ହାଇମାକ୍ସ ଡ୍ରାମା? କେବେ ନ୍ୟାୟ ମିଳୁଛି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପାତ୍ରଙ୍କୁ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.