ପୁଣି ଚିନ୍ତା ବଢ଼ାଇଲା ଲଘୁଚାପ ବର୍ଷା: ବର୍ଷାରେ ଭିଜୁଛି ଧାନ ଓ କପା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମଣ୍ଡି ଆରମ୍ଭ ହେବା ପରେ ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷା ହୋଇ ତିନିଦିନ ପାଇଁ ମଣ୍ଡି ବନ୍ଦ ହୋଇଯାଇଥିଲା। ଗତ ୨୩ ସନ୍ଧ୍ୟାରୁ ପୁଣି ଆରମ୍ଭ ହୋଇଛି ଲଘୁଚାପ ଜନିତ ବର୍ଷା। ଗତ ସପ୍ତାହରେ ଅଳ୍ପ ଅଳ୍ପ ବର୍ଷା ହୋଇଥିଲା ହେଲେ ଏବେ ଗତକାଲି ମଙ୍ଗଳବାର ଠାରୁ ନର୍ଲା ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଏଥିରେ ଧାନ ଓ କପା ବେଶୀ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଗତ ସପ୍ତାହରେ ପ୍ରଥମ ଲଘୁଚାପ ଜନିତ ବର୍ଷାରେ ମଧ୍ଯ ଗାଁ ଦାଣ୍ଡ ରାସ୍ତା ଉପରେ ଶୁଖାଇଥିବା ଧାନ ଭିଜିଥିଲା। ଗତ ମଙ୍ଗଳବାର ସନ୍ଧ୍ୟାରୁ ଲଘୁଚାପ ଜନିତ ବର୍ଷା କାରଣରୁ ମଣ୍ଡିରେ ରହିଥିବା ଧାନ, କଟା ହୋଇ କ୍ଷେତରେ ପଡ଼ିଥିବା ଧାନ, ଗଛରୁ ତୋଳା ହୋଇନଥିବା କପା ପ୍ରଭୃତି ଗତ କାଲିର ଲଘୁଚାପ ଜନିତ ବର୍ଷାରେ ଭିଜି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ସାରା ଧାନ ମଣ୍ଡି ଗୁଡିକ ଡିସେମ୍ବର ୫ ରୁ ୧୦ ମଧ୍ୟରେ ଆରମ୍ଭ ହୋଇଯାଇଥିବା ବେଳେ ଧାନ ଉଠିବା ପ୍ରକ୍ରିୟା ମଧ୍ୟ ଯୋର ଧରିଥିଲା। କେବଳ ୨ ରୁ ୫ ତାରିଖ ଟୋକନ ପାଇଥିବା ଚାଷୀଙ୍କ ଧାନ ଉଠିଛି କି ନାହିଁ ଲଘୁଚାପ ଜନିତ ବର୍ଷା କାରଣରୁ ମଣ୍ଡି ଗୁଡିକ ବନ୍ଦ ରହିଥିଲା। ବର୍ଷା ଥମିବା ପରେ ପୁଣି ଧାନ ଉଠିବା ଆରମ୍ଭ ହୋଇଛି କି ନାହିଁ ଗତକାଲିରୁ ପୁଣି ଲଘୁଚାପ ବର୍ଷାରେ ଧାନ ଓ କପା ତିନ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ନର୍ଲା ଅଞ୍ଚଳରେ ୯୦ ପ୍ରତିଶତ ଧାନ କଟା ସରିଯାଇଥିବା ବେଳେ କେତେକ ଚାଷୀ ଧାନ କାଟି ଜମିରେ ଧାନ ରଖିଥିଲେ। ଲଘୁଚାପଜନିତ ବର୍ଷା ଯୋଗୁଁ ଜମିରେ କଟାହୋଇ ପଡ଼ିଥିବା ଧାନ ତିନ୍ତି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଏବେ ଚାଷୀ ମାନେ ଚିନ୍ତା ପ୍ରକଟ କଲେଣି। ଅନ୍ୟ ପକ୍ଷେ ଘରେ ଜାଗା ନଥିବାରୁ ଚାଷୀ ଗାଁ ଦାଣ୍ଡ କଂକ୍ରିଟ ରାସ୍ତାରେ ନିଜର ଧାନ ଗଣ୍ଡାକ ଶୁଖାଇ ଥିବା ସମୟରେ ଲଘୁଚାପ ଜନିତ ବର୍ଷା କାଳ ହେଲା। ଗତ ସୋମବାର ସନ୍ଧ୍ୟାରୁ ପାଗ କୋହଲା କରି ଝିପି ଝିପି ବର୍ଷା ବର୍ଷା ଆରମ୍ଭ ହେଲା। ମଙ୍ଗଳବାର ଠାରୁ ନର୍ଲା ଅଞ୍ଚଳରେ ଖୁବ ଜୋର ବର୍ଷା ଜାରି ରହିଛି। ବୁଧବାର ଦିନ ତମାମ ଝିପି ଝିପି ବର୍ଷା ଲାଗିରହିଛି। କେତେକ ଛୋଟ ଚାଷୀ ପାଲ ବ୍ୟବସ୍ଥା କରି ଅଳ୍ପ କିଛି ଧାନକୁ ଘୋଡେ଼ଇ ପାରିଥିବା ବେଳେ ବାକି ଧାନ ଗାଁ ଦାଣ୍ଡ କଂକ୍ରିଟ ରାସ୍ତାରେ ଭିଜୁଥିବା ଦେଖିବାକୁ ମିଳୁଛି। କାହାର ଚୁନା ଧାନ ଭିଜୁଛି ତ କାହାର ବସ୍ତାରେ ଭରି ରଖିଥିବା ଧାନ ଭିଜୁଛି। ବିଲରେ କପା ମଧ୍ଯ ଭିଜୁଛି। ଏବେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛି ଚାଷୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.