ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେଲା ସୁଶାସନ ଦିବସ ୨୦୨୪

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାସ୍ତରୀୟ ସୁଶାସନ ଦିବସ-୨୦୨୪ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଦେଶାତ୍ମବୋଧକ କବିତା ପଠନ କାର୍ଯ୍ୟକ୍ରମ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି I ଉକ୍ତ ସଭାରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ଓ ମୁଖ୍ୟ ବକ୍ତା ଭାବେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ଓ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ଼. ହରିଶ୍ଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ ମଧ୍ୟ ମଞ୍ଚାସୀନ ଥିଲେ I

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ମନ୍ତ୍ରୀ ଡ଼. ମହାପାତ୍ର ସୁଶାସନ ଦିବସର ମହତ୍ୱ ବଖାଣିବା ସହିତ ଶାସନ ଓ ସୁଶାସନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଥିଲେ I ସମ୍ମାନନୀୟ ଅତିଥି ବିଧାୟକ ଶ୍ରୀ ଦତ୍ତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଛୋଟ ପିଲାଙ୍କ ପ୍ରତି ଥିବା ଭଲ ପାଇବା ଆଉ ସେମାଙ୍କୁ ନେଇ ଦେଖିଥିବା ଦେଶ ଗଢିବା ସ୍ବପ୍ନ ବିଷୟରେ ନିଜର ଅଭିଭାଷଣରେ କହିଥିଲେ। ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ କି ଭାରତୀୟ ଇତିହାସରେ ସୁଶାସନର ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ। ତେଣୁ ତାଙ୍କର ନୀତିରେ ଅନୁପ୍ରାଣିତ ହୋଇ ସମସ୍ତେ ନିଜ ଜୀବନରେ ସୁଶାସନର ପଥେ ଅଗ୍ରସର ହେବା ପାଇଁ ସେ ଆହ୍ୱାନ ଦେଇଥିଲେ I ମୁଖ୍ୟ ବକ୍ତା ଡ଼. ବେହେରା ଭାରତ ରତ୍ନ ଅଟଳଜୀଙ୍କ ଜୀବନୀ ଓ ଏହି ଯୁଗନାୟକଙ୍କ ଆଦର୍ଶ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ I ପରିଶେଷରେ ସୁଶାସନ ଦିବସ-୨୦୨୪ ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I

ଏଠାରେ ସୂଚନା ଥାଉ କି ସାଧାରଣ ସଭା ପୂର୍ବରୁ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ପାଠୋତ୍ସବରେ ବାଲେଶ୍ୱର ଜିଲ୍ଲାର ଅନେକ ସୁନାମଧନ୍ୟ କବିମାନେ ସେମାନଙ୍କ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ। କବିତା ପାଠୋତ୍ସବରେ ପୌରୋହିତ୍ୟ କରିଥିଲେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବିମଳ ଜେନା। ପ୍ରାକ୍ତନ ପ୍ରାଧ୍ୟାପକ ଓ କବି ହରିଶ୍ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କବିତା ପାଠକୁ ସଂଚାଳନା କରିଥିଲେ ଅଧ୍ୟାପକ ଦିଲ୍ଲୀପ ରଥ। ଏହି କବିତା ପାଠୋତ୍ସବରେ ନିମନ୍ତ୍ରିତ କବି ଭାବରେ ଯଶୋଧାରା ଦାସ, ସୈରିନ୍ଧ୍ରୀ ସାହୁ, ବିମଳ ଜେନା, ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, ରଞ୍ଜନ ବାଗ, ସିତାଂଶୁ ଲେଙ୍କା, ପ୍ରୀତିଲେଖା ଦାସ, ଜୟନ୍ତୀ ବିଶ୍ଵାଳ ବେହୁରିଆ ଏବଂ ହରିଶ୍ଚନ୍ଦ୍ର ବେହେରା କବିତା ପାଠ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରିଣୀ ଐଶ୍ୱର୍ଯ୍ୟା ସାମନ୍ତ ଉଦବୋଧନ ଦେଇ ସୁଶାସନ ଦିବସ ସମ୍ପର୍କରେ କହିଥିଲେ ଏବଂ ନିମନ୍ତ୍ରିତ କବିମାନଙ୍କୁ ସ୍ଵାଗତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.