ରକ୍ତଦାନ ଓ ଚକ୍ଷୁ ଚିକିତ୍ସା ଶିବିର ସହ ଡଃ ଅଭିଷେକ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ମଣ୍ଡପଠାରେ ଡଃ ଅଭିଷେକ ମିଶ୍ର ସ୍ମୃତି କମିଟି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଓ ସିଟି ସେଣ୍ଟର୍ ତରଫରୁ କମ୍ପ୍ୟୁଟର ମାଧ୍ୟମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଣେ ମହିଳାଙ୍କ ସମେତ ୨୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ସେହିପରି ୭୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ବେଳେ ୨୦ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସକାଶେ ଚିହ୍ନଟ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ହାଇକୋର୍ଟ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଶୁଭ ଉଦ୍‌ଘାଟନ କରିଥିବାବେଳେ ସମାଜସେବୀ ବୈକୁଣ୍ଠ ଶତପଥୀ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶେଷ ଦେବ ମେହେର, ଆଇନଜୀବୀ ଗୌରୀ ଶ୍ୟାମ ପଣ୍ଡା, କେଦାର ମିଶ୍ର, ସମାଜ ସେବୀ ଲଡୁ ମଲ୍ଲିକ, ଶ୍ରୀବତ୍ସ ମଲ୍ଲିକ ଏଠାରେ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ମା’ ସୁରେଶ୍ଵରୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ରକ୍ତ ଦାନ ଶିବିରକୁ ଜଷ୍ଟିସ ଦାଶ ଉଦ୍‌ଘାଟନ କରି ସ୍ୱର୍ଗୀୟ ଆତ୍ମାଙ୍କ ଶ୍ରଦ୍ଧା ଦ୍ଧାଞ୍ଜଳି ସକାଶେ କରାଯାଉଥିବା ଏହି ମହତ୍ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରକାଶ ଥାଉ କି ଯେ କିଛି ଦିନ ପୂର୍ବରୁ ଶିଶୁ ଗୃହଠାରେ ସୁବର୍ଣ୍ଣପୁର ଜିଲ୍ଲାର ଏଇ ସୁଯୋଗ୍ୟ ସନ୍ତାନ ତଥା ଯୁବ ପ୍ରତିଭା ଡଃ ଅଭିଷେକ ମିଶ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପବିତ୍ର ଗୀତା ଜୟନ୍ତୀ ତିଥିରେ ସୋନପୁର ଶିଶୁ ଗୃହଠାରେ ଶିଶୁ ମାନଙ୍କୁ ଅନ୍ନ ଭୋଜନରେ ଆପ୍ୟାୟିତ କରଯାଇଥିଲ ଓ ସ୍ଥାନୀୟ ଘୋଡାଘାଟପଡ଼ା ସ୍ଥିତ ଦଧିବାମନ ମନ୍ଦିରରେ ବ୍ରାହ୍ମଣ ଭୋଜନର ବ୍ୟବସ୍ଥା କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରଯାଇଥିଲା। ପ୍ରକାଶ ଥାଉ କି ଯେ ଡଃ ଅଭିଷେକ ମିଶ୍ରଙ୍କ ମାଣ୍ଡିଆ ସନ୍ଦର୍ଭ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବା ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲାର ଗୌରବକୁ ଦ୍ଵିଗୁଣିତ କରିଥୁବା ଜଣା ଯାଇଛି। ଅଭିଷେକଙ୍କ ମାଣ୍ଡିଆ ସନ୍ଦର୍ଭ ଯାହାକି ୬୭ ଗୋଟି ଦେଶ ସ୍ୱୀକୃତି ପ୍ରଦାନ କରିଥିବା ବିଷୟ ଅଭିଷେକ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.