ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଖଣି ବିଭାଗ ତରଫରୁ ବ୍ୟାପକ ଖାନତଲାସ ଓ ଚଢ଼ାଉ ଜାରି ରହିଥିବାବେଳେ ଆଜି ସକାଳୁ ସକାଳୁ ଖଣି ବିଭାଗର ଅଧିକାରୀ ଓ ଲାଞ୍ଜିଗଡ଼ ତହସିଲଦାରଙ୍କ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ୩ଟି ହାଇୱାକୁ ଜବତ କରାଯାଇଛି।
ଏହି ତିନୋଟି ବାଲି ବୋଝେଇ ହାଇୱାରେ ଓଭରଲୋଡିଂ ଥିବାବେଳେ ଟିକସ ଫାଙ୍କି ଅଭିଯୋଗରେ ୩ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି। ସୂଚନାନୁସାରେ ଆଜି ସକାଳୁ ବିଶ୍ୱନାଥପୁର କଲେଜ ଛକରେ ଚଢ଼ାଉବେଳେ ଏହି ୩ଟି ହାଇୱାରେ ୫ ସେଣ୍ଟିମିଟର ବାଲି ବୋଝେଇର ଟ୍ରାଞ୍ଜିଟ ପାସ ଥିବାବେଳେ ସେଠାରେ ୧୬ ସେଣ୍ଟିମିଟର ବାଲି ବୋଝେଇ ହୋଇଥିବା ଖଣି ବିଭାଗର ଅଧିକାରୀମାନେ ଦେଖିବାକୁ ପାଇଥିଲେ।
ଏହାପରେ ୩ଟି ହାଇୱାରୁ ୧ ଲକ୍ଷ ଟଙ୍କା ଲେଖାଏଁ ଫାଇନ ପାଇଁ ଚାଲାଣ କଟାଯାଇଥିବା ଜଣାପଡିଛି। ଆଜିର ଏହି ଧରପଗଡ଼ରେ ଜିଲ୍ଲା ଖଣି ଅଧିକାରୀ ମୁରଲୀଧର ନାଏକ, ଲାଞ୍ଜିଗଡ ତହସିଲଦାର ଜ୍ଞାନଜିତ ତ୍ରିପାଠୀ, କନିଷ୍ଠ ଖଣି ଅଧିକାରୀ ବିକାଶ ପଟନାୟକ, ଜିଲ୍ଲା ସହାୟକ କନିଷ୍ଠ ଆଶିଷ ସେଠୀ ପ୍ରମୁଖ ଏହି ଧରପଗଡ଼ରେ ସାମିଲ ହୋଇଥିଲେ।