ନର୍ଲାରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ପଡିଆରେ ଶୁକ୍ରବାର ନର୍ଲା କ୍ରୀକେଟ କ୍ଲବ ନେତୃତ୍ୱରେ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ। ଏହି ଟି-୧୫ କ୍ରୀକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ନର୍ଲା ସରପଞ୍ଚ ତନୁଜା ହରପାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ।

ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର, ନାଏବ ସରପଞ୍ଚ ଲମ୍ବୋଦର ପୋଢ, ଅଭିଷେକ ଇଣ୍ଡେନ ଗେସର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ଚାନ୍ଦ, ମାଉଣ୍ଟେନ କିଡ୍ସ ଇଂଲିସ ମିଡିୟମ ସ୍କୁଲର ଚେୟାରମେନ ନବୀନ କୁମାର ଦାସ ପ୍ରମୁଖ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମୋଟ ୧୬ ଗୋଟି ଟିମ ଯୋଗଦାନ କରିଥିବା ଜଣାପଡ଼ିଛି।

ଉଦ୍ଗାଟନୀ ମ୍ୟାଚ ଇଗଲ-୧୧ ଓ ସନସାଇନ ଭବାନୀପାଟଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଇଗଲ-୧୧ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ୬ ୱିକେଟ ହରାଇ ୧୯୪ ରନ କରିଥିଲା। ଜବାବରେ ସନସାଇନ ଭବାନୀପାଟଣା ୧୫ ଓଭର ଖେଳି ୬ ୱିକେଟ ହରାଇ ୧୯୩ ରନ କରିବାରେ ସକ୍ଷମ ହୋଇଥିଲା। ଉଦ୍ଘାଟନୀ ମ୍ୟାଚକୁ ଚତୁରତାର ସହ ଇଗଲ -୧୧ ହାତେଇ ନେଇଥିଲା। ସେହିଭଳି ଅପରାହ୍ନ ୩ ଘଣ୍ଟା ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ ଭବାନୀପାଟଣା ଫେଣ୍ଟାସୀ ଓ କଳାହାଣ୍ଡି ଟାଇଗର (ରିଜର୍ଭ ପୋଲିସ) ଟିମ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ମ୍ୟାଚକୁ ପ୍ରିୟବ୍ରତ ଚାନ୍ଦ, ଗିରିଶ ଚନ୍ଦ୍ର ବେହେରା, ଡୋଳାମଣି ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ଆୟୋଜକ ନର୍ଲା କ୍ରିକେଟ କ୍ଲବର ସଭାପତି ଦୀପୁ ପାତ୍ର, ସମ୍ପାଦକ ବଣ୍ଟି ପୁଝାରୀ, କୋଷାଧ୍ୟକ୍ଷ କିସନ ଗଉଡିଆ, ଭବାନୀ ଗୌଡିଆ, ସୁମନ ମାଝୀ, ଅଭି, ତୋଫାନ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଥିବା ଜଣାପଡିଛି। ଚାମ୍ପିଅନ ଟିମକୁ ଟ୍ରଫି ସହ ୫୦,୦୦୦ ଟଙ୍କା ପୁରସ୍କାର ରାଶି ଓ ଉପ ବିଜେତା ଟିମ ପାଇଁ ଟ୍ରଫି ସହ ୩୦,୦୦୦ ଟଙ୍କା ପୁରସ୍କାର ରାଶି ରଖା ଯାଇଛି। ଆସନ୍ତା ୯/୨ ରେ ଏହାର ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.