ଫେବୃୟାରୀ ୯ ରେ ନର୍ଲା ସତସଙ୍ଗ କେନ୍ଦ୍ରର ଅଷ୍ଟାଦଶ ବାର୍ଷିକ ମହୋତ୍ସବ

ଉତ୍ସବ କମିଟି ଆୟୋଜନ କରିବ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ସତସଙ୍ଗ କେନ୍ଦ୍ରର ଅଷ୍ଟାଦଶ ବାର୍ଷିକ ମହୋତ୍ସବ ଆସନ୍ତା ୯ ରବିବାର ପାଳିତ ହେବ। ଏନେଇ ପରିଚାଳନା ମଣ୍ଡଳୀ ବ୍ୟାପକ ପ୍ରସ୍ତୁତି ବ୍ୟବସ୍ଥାରେ ଲାଗିପଡିଛନ୍ତି। ନର୍ଲା ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ ସାଙ୍ଗକୁ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପବିତ୍ର ୧୩୭ତମ ଶୁଭ ଜନ୍ମ ମହୋତ୍ସବ ଓ ଅଷ୍ଟମ ଶ୍ରୀ ବିଗ୍ରହ ପ୍ରତିଷ୍ଠା ସ୍ମୃତି ମହୋତ୍ସବ ପାଳିତ ହେବ। ଏହି ମହାର୍ଘ କାର୍ଯ୍ୟକ୍ରମରେ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ସପରିବାର ଉକ୍ତ ମାଙ୍ଗଳିକ ମହୋତ୍ସବରେ ଯୋଗଦାନ କରି ଶ୍ରୀଶ୍ରୀ ଠାକୁରଙ୍କ ଅମୃତ ଆଶିଷ ଧାରାରେ ନିଜକୁ ପରିସ୍ନାତ କରି ସପରିବେଶ ଧନ୍ୟ ଓ ସାର୍ଥକ କରିବା ପାଇଁ ନର୍ଲା ସତସଙ୍ଗ କେନ୍ଦ୍ର ଉତ୍ସବ କମିଟିର ସଭାପତି ଦୁଃଖିନ୍ଦ୍ର ସାହୁଙ୍କ ସମେତ ଆୟୋଜକ ମଣ୍ଡଳୀ ସତସଙ୍ଗୀ ଭାଇ ମାନେ ଶ୍ରଦ୍ଧାର ସହିତ ନିମନ୍ତ୍ରଣ କରିଥିବା ଜାଣିବାକୁ ମିଳିଛି। ପ୍ରତିବର୍ଷ ଫେବୃୟାରୀ ୯ ରେ ଏହି ପ୍ରତିଷ୍ଠ ଦିବସ ନର୍ଲା ସତସଙ୍ଗ କେନ୍ଦ୍ରରେ ପାଳିତ ହୋଇ ଆସୁଥିବା ବେଳେ ରବିବାର ବ୍ରାହ୍ମ ମୁହୂର୍ତ୍ତରୁ ରାତି ୮ ଟା ଯାଏଁ ନୀରବଚ୍ଛିନ୍ନ କାର୍ଯ୍ୟକ୍ରମ ରହିଥିବା କାର୍ଯ୍ୟସୂଚିରୁ ଜଣାପଡିଛି। ବିଶେଷ କାର୍ଯ୍ୟକ୍ରମ ଭାବରେ ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ଓ ନହବତ, ପ୍ରତ୍ୟୁଷେ ଉଷା କୀର୍ତ୍ତନ, ପ୍ରାତଃ ୬.୨୬ ରେ ସମବେତ ପ୍ରାର୍ଥନା, ଅମୀୟ ଗ୍ରନ୍ଥପାଠ ଓ ପ୍ରାର୍ଥନା, ସକାଳ ୭ ଟାରେ ସଙ୍ଗୀତାଞ୍ଜଳି, ପୂର୍ବାହ୍ନ ୮ ଟାରେ ନଗର କୀର୍ତ୍ତନ, ୧୦ ଟାରେ ମାତୃ ସମ୍ମିଳନୀ, ୧୧.୩୦ ରେ ସତସଙ୍ଗ ଓ ସଦାଲୋଚନା, ଅପରାହ୍ନ ୧ ଟାରେ ପ୍ରସାଦ ସେବନ, ଅପରାହ୍ନ ୨ ଟାରୁ ସଂସ୍କାର ଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂଧ୍ୟା ୬ ଟାରୁ ସମବେତ ପ୍ରାର୍ଥନା ଓ କୀର୍ତ୍ତନ ଭଳି ନିରବଚ୍ଛିନ୍ନ କାର୍ଯ୍ୟକ୍ରମ ରହିଛି। ବିଶେଷ ଭାବରେ ନର୍ଲା ସତସଙ୍ଗ କେନ୍ଦ୍ର ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିରର ବିଶେଷ ଆୟୋଜନ କରାଯାଇଥିବା ପରିଚାଳନା କମିଟି ସୂତ୍ରରୁ ସୁଚନା ମିଳିଛି। ଏଥିରେ ଅର୍ଥୋପେଡିକ ଏବଂ ସର୍ଜିକାଲ ଡାକ୍ତର ଡ.ପ୍ରଫୁଲ୍ଲ କୁମାର ସାହୁ, ଡ. ଜୀବନ କୁମାର ଦାସ, ଦନ୍ତ ଚିକିତ୍ସକ ଡ. ସୁମିତ କୁମାର ମଜୁମଦାର, ଡ.ପ୍ରବୀଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହିତ ମାଗଣାରେ ଔଷଧ ମଧ୍ୟ ପ୍ରଦାନ କରିବେ ବୋଲି ଜଣାପଡିଛି। ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷଣ ପାଇଁ ଇଚ୍ଛୁକ ବ୍ୟକ୍ତି ଆଗରୁ ଡ. ଶାନ୍ତନୁ କୁମାର ମଜୁମଦାରଙ୍କ ସହିତ ଯୋଗାଯୋଗ କରି ଅଗ୍ରୀମ ପଞ୍ଜିକରଣ କରିପାରିବେ ବୋଲି ସୂଚନା ମିଳଛି। ବହୁତ ସଂଖ୍ୟାରେ ଭକ୍ତବୃନ୍ଦ ଆସି ନର୍ଲା ସତସଙ୍ଗ କେନ୍ଦ୍ରର ଅଷ୍ଟାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରି ଠାକୁରଙ୍କ ଆଶିଷ ଲାଭ କରନ୍ତୁ, ପବିତ୍ର ଦୀକ୍ଷା ଗ୍ରହଣ କରନ୍ତୁ ବୋଲି ଉତ୍ସବ କମିଟି ତରଫରୁ ଆଗ୍ରହ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.