ବର୍ଷା
ସତ୍ୟଜିତ ସ୍ୱାଇଁ
କେବେ ସିଏ ଝରେ ବିଶାଳ ଆକାଶୁ
ବାଦଲର ବୁକୁ ଚିରି
କେବେ ପୁଣି ସାଜି ପଶ୍ଚାତାପ ଲୁହ,
ଝରିଯାଏ ଥିରିଥିରି ।
କେବେ ବର୍ଷିଯାଏ ଧରି ଉଗ୍ର ରୂପ
କେବେ ବର୍ଷେ ନୀରବରେ
କେବେ ବଖାଣଇ ହୃଦୟର କଥା,
କେବେ ମନେ ଚିନ୍ତା ଭରେ ।
କାହାପାଇଁ ସାଜେ ସୁଖର ସାରଥୀ
କାହା ପାଇଁ ଆଣେ ଦୁଃଖ
କାହା ଓଠେ ଭରେ ଖିଲିଖିଲି ହସ,
କାହାର ଶୁଖାଏ ମୁଖ ।
ବର୍ଷା ଆସେ ଯେବେ କାହା ପାଇଁ ଆଣେ
ଅଭୁଲାଦିନର ସ୍ମୃତି
ସାଥୀଟିଏ ସାଜି ବୀରହତା ହରେ,
ଦେଇଯାଏ ଆତ୍ମତୃପ୍ତି ।