ଗଙ୍ଗାଧର ନନ୍ଦ ପାଇଲେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ଛୁଟୁଛି ଶୁଭେଚ୍ଛାର ସୂଅ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଗଙ୍ଗାଧର ନନ୍ଦ। ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣି ଆସିଛନ୍ତି। ତେଣୁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, ଶିକ୍ଷକ ଶ୍ରୀ ନନ୍ଦ ପ୍ରତିବର୍ଷ କ୍ଲାସରେ ଥିବା ପିଲାମାନଙ୍କ ଶିକ୍ଷାର ସ୍ତରକୁ ହୃଦୟଙ୍ଗମ କରି ସ୍ଵତନ୍ତ୍ର ଭାବେ ଶିକ୍ଷା ଦାନ କରିଥାନ୍ତି। ଦଳଗତ ଭାବେ ପିଲାମାନଙ୍କ ମନରେ ଥିବା ଦ୍ଵନ୍ଦକୁ ସେ ଦୂର କରାଇଥାନ୍ତି। ଶ୍ରେଣୀରେ ପାଠ ପଢ଼ାଇବା ସମୟରେ ତାଙ୍କର ଅଭିନବ ଶିକ୍ଷାଦାନ ଶୈଳୀ ପିଲାଙ୍କ ହିନ୍ଦି ବିଷୟ ପ୍ରତି ଥିବା ଭୟକୁ ଦୂର କରାଇଥାଏ। ଶ୍ରୀ ନନ୍ଦଙ୍କ ନୀତିବାଣୀ ହେଉଛି, ଜଣେ ବ୍ୟକ୍ତି ରୋଜଗାରକ୍ଷମ ହେବା ଅପେକ୍ଷା ପ୍ରଥମେ ସୁନାଗରିକ ହେବା ଆବଶ୍ୟକ। ଏହି ଅନୁଚିନ୍ତାରେ ଶ୍ରୀନନ୍ଦ ଛାତ୍ରଛାତ୍ରୀଙ୍କୁ ଚରିତ୍ରବାନ କରାଇଥାନ୍ତି। ମୋବାଇଲ ଠାରୁ ଦୂରରେ ରହି ପୁସ୍ତକକୁ ପିଲାମାନେ କିପରି ବନ୍ଧୁ କରିବେ, ସେଥିପାଇଁ ସେ ଅତ୍ୟନ୍ତ ଯତ୍ନବାନ। ପିଲାଙ୍କ ପାରିପାର୍ଶିକ ସମସ୍ୟାକୁ ବୁଝି ସେ ସମସ୍ୟାର ସମାଧାନ ପାଇଁ ସଦା ସର୍ବଦା ଚେଷ୍ଟିତ। ମାତା ପିତା ସାଜି ଦେଶର ଉତ୍ତର ପିଢ଼ିଙ୍କୁ ସେ ପ୍ରସ୍ତୁତ କରାଇଥାନ୍ତି। ତାଙ୍କର ଏହି ଅବଦାନ, ଅଭିନବ ପ୍ରୟାସ ପାଇଁ ଗତ ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହ କନଭେନସନ୍ ସେଣ୍ଟର ଲୋକସଭା ଭବନ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.