‘ମହାକାନ୍ତାର ସଂସ୍କୃତିର ଏକନିଷ୍ଠ ପ୍ରଚାରକ ଦେବଗିରି’
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ରସ୍ଥଳୀ ଭାବେ ଦେବଗିରି ସୁପରିଚିତ। ହଜାର ହଜାର ବର୍ଷ ପରେ ମଧ୍ୟ ଦେବଗିରି ଅଞ୍ଚଳରେ ଆଟବିକ ଓ ମହାକାନ୍ତାର ସଭ୍ୟତାର ପ୍ରାଚୀନ କଳା ସଂସ୍କୃତି ଅମଳିନ ଭାବେ ବଞ୍ଚିରହିଛି। ମହାକାନ୍ତାର ସଭ୍ୟତାର କଳା ସଂସ୍କୃତିର ଏକନିଷ୍ଠ ପ୍ରଚାରକ ଭାବେ ଦେବଗିରି ନିଜର ସାଧନା ଜାରି ରଖିଛି ବୋଲି ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବର ଉଦଯାପନି ସମାରୋହରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ୪ଦିନ ଧରି ଚାଲିଥିବା ୩୪ତମ ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅବସରରେ ଆୟୋଜିତ ‘ଗୋସିଂହ ଦୈତ୍ୟ ଦରବାର’ର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ରାଜ ଅତିଥି ଭାବେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ, ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସେଲ ସଭାନେତ୍ରୀ ସଞ୍ଜୁକ୍ତା ବେହେରା, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନିରଜ ଶର୍ମା, ସଂସ୍କୃତିବିତ୍ ଜୟନ୍ତ ବେହେରା, ଅଜୟ ମିଶ୍ର, ସମାଜସେବୀ ସୁମିତ କୁମାର ଅଗ୍ରୱାଲ, ପ୍ରଦୀପ ଅଗ୍ରଓ୍ବାଲ, ଶିକ୍ଷାବିତ ତୁଲସିରାମ ବଗର୍ତ୍ତି, ରମେଶ ଚନ୍ଦ୍ର ଭୋଇ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ପିତବାସ ବେହେରା, ଯୁବ ନେତା ପ୍ରତାପ ବାଗ, ଦୁର୍ଯ୍ୟୋଧନ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଶିଷ୍ଟ ଗବେଷକ ଉମାଶଙ୍କର କରଙ୍କୁ ଦେବଗିରି ସମ୍ମାନ, ସୌରଭ ମହାପାତ୍ରଙ୍କୁ ଯୁବ ସମ୍ମାନ, ଅଖିଳ ଚନ୍ଦ୍ର ହୋତା ଓ ରଜନୀକାନ୍ତ ମିଶ୍ରଙ୍କୁ ସାମ୍ବାଦିକତା ସମ୍ମାନ, ଲଲିତ କାନୁନଗୋଙ୍କୁ ନାରଦ ସମ୍ମାନ, ଡ଼ଃ ଗୋପିନାଥ ବାଗଙ୍କୁ ସାହିତ୍ୟ ସମ୍ମାନ, ସୁମିତ କୁମାର ଅଗ୍ରୱାଲଙ୍କୁ ଉଦ୍ୟୋଗୀ ସମ୍ମାନ, ସତ୍ୟନାରାୟଣ ମୁଣ୍ଡଛିନା ଓ ଜୟଶ୍ରୀ ବହିଦାରଙ୍କୁ ଶିକ୍ଷା ସମ୍ମାନ, ରାଜେନ୍ଦ୍ର ପାଢ଼ୀଙ୍କୁ ନାଟ୍ୟ ସମ୍ମାନ, ଡ଼ା. ଦୀନବନ୍ଧୁ ସାହୁଙ୍କୁ କଳା ସମ୍ମାନ, ଲକ୍ଷ୍ମଣ ବାଗଙ୍କୁ ବାର୍ତ୍ତା ସମ୍ମାନ, ଶାନ୍ତନୁ କୁମାର ବେହେରାଙ୍କୁ ସଂଗଠନ ସମ୍ମାନ, ଅଶୋକ ପଟ୍ଟନାୟକଙ୍କୁ ସମାଜସେବା ସମ୍ମାନ, ଯଯାତି କେଶରୀ ନାୟକଙ୍କୁ ଲୋକକଳା ସମ୍ମାନ, ଦେବଦତ୍ତ ବେହେରାଙ୍କୁ ପ୍ରତିଭା ସମ୍ମାନ, ରମେଶ ଧଙ୍ଗଡାମାଝୀ ଓ ମୋହିତ ଧଙ୍ଗଡାମାଝୀଙ୍କୁ ଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ବିଶ୍ଵାମିତ୍ର ଗହୀରଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋସିଂହ ଦୈତ୍ୟ ଦରବାରରେ ପାରମ୍ପରିକ ଢାପ୍, ବଜାସାଲ୍, ବନାବାଡ଼ି ନୃତ୍ୟ, ଓଡ଼ିଶୀ ସମେତ ଅନେକ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପରିବେଷିତ ହୋଇଥିଲା। ଭବାନୀପାଟଣାର ପ୍ରତିଭା ଓ ମୃଣ୍ମୟୀ ଅନୁଷ୍ଠାନ, ଟିଟିଲାଗଡ଼ର ଏକତାରା କଳାକେନ୍ଦ୍ର, ଜାତୀୟ ଶିଶୁ ବୃତ୍ତି ପ୍ରାପ୍ତ ନୃତ୍ୟଶିଳ୍ପୀ ରେଣୁ ବିଶିଙ୍କ ଓଡ଼ିଶୀ ନୃତ୍ୟ ସହ ଦରବାରର କଳାକାରମାନଙ୍କ ନିଖୁଣ ଅଭିନୟକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀ ଗୋସିଂହ ଦୈତ୍ୟ ଭୂମିକାରେ ଅଭିନୟ କରିଥିଲେ। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ସଭାକାର୍ଯ୍ୟର ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଲୋକନୃତ୍ୟ ଆସରର ସଂଯୋଜନା କରିଥିଲେ ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ। ଏହି ଅବସରରେ ଶ୍ରୀନିବାସ ରାଓ ଓ ଜୟଶ୍ରୀ ବେହେରା ବରିଷ୍ଠ ନାଗରିକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ। କୋଷାଧ୍ୟକ୍ଷ ଜୟଦ୍ରଥ ଜାଲଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





