ନୃତ୍ୟ ଗୀତରେ କମ୍ପିଲା ଗୋସିଂହ ଦୈତ୍ୟ ଦରବାର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଚାଲିଥିବା ୩୪ତମ ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ‘ଗୋସିଂହ ଦୈତ୍ୟ ଦରବାର’ ବେଶ ଜମୁଛି। ଜେନାବଳୀ ନଗ୍ରର ଅଧିଶ୍ବର ସମ୍ରାଟ ଗୋସିଂହ ଦୈତ୍ୟଙ୍କ ପ୍ରତାପରେ ଥରହର ହୋଇ ଉଠିଛି ତିନିପୁର। ଅସୁରଗଡ଼ର ପ୍ରତିରକ୍ଷା ଘାଟି ଦେବଗିରିରେ ଚାଲିଛି ଗୋସିଂହ ଦୈତ୍ୟଙ୍କ ରାଜୁତି। ଗୋସିଂହ ଦୈତ୍ୟ ଭୂମିକାରେ ବରିଷ୍ଠ କଳାକାର ବିଜୟ ଧଙ୍ଗଡାମାଝୀଙ୍କ ଅଭିନୟ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଉଛି। ଆୟୋଜକ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ତୃତୀୟ ଦିବସର ସାନ୍ଧ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ତଥା ଅଖିଳ ଭାରତୀୟ ଧର୍ମ ବିଭାଗର ପ୍ରଚାରକ ସାଧୁ ପ୍ରଭାକର ଦାସ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ମହିଳା ସେଲ୍ ସାଧାରଣ ସମ୍ପାଦିକା ରେବତୀ ବିଶି, ଶିକ୍ଷାବିତ ରଞ୍ଜନ କୁମାର ତ୍ରିପାଠୀ, ଅନୀଲ ପ୍ରସାଦ ସାହୁ, ଟଙ୍କଧର ସାହା, ସାମ୍ବାଦିକ ସୁଶିଲ କୁମାର ବାଗ, ସମାଜସେବୀ ପ୍ରଦ୍ୟୁମ୍ନ ଭୋଇ, ଲିଙ୍ଗରାଜ କରୁଆଁ, ହିମାଚଳ ଭୋଇ, ଭାସ୍କର ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଦ୍ବିତୀୟ ସଂପାନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶୁଶ୍ରୀ ରିନା ଭୋଇ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ମହିପାଳ ନାଏକ, ସ୍ବରାଜ ସାମନ୍ତରାୟ, ସରତ ଚନ୍ଦ୍ର ଭୋଇ, ପ୍ରମୋଦ ଚନ୍ଦ୍ର ଭୋଇ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ସୁରେଶ କୁମାର ଭୋଇ, ସମାଜସେବୀ ବିଜୟ ଭୋଇ, ଭୋଳାନାଥ ଧଙ୍ଗଡାମାଝୀ, କମଳାକାନ୍ତ ଭୋଇ, ବିଶିକେଶନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୨୦୨୫ ବର୍ଷ ପାଇଁ ଗଙ୍ଗା ନାରାୟଣ ଦାଶ ଓ ୨୦୨୬ ବର୍ଷ ପାଇଁ ରବିନ୍ଦ୍ରନାଥ ଦୋରାଙ୍କୁ ଦେବଗିରି ଗୁରୁ ସମ୍ମାନ, ବରିଷ୍ଠ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ଦେବଗିରି ନାରଦ ସମ୍ମାନ, ଅଧ୍ୟାପକ ମୋହନ ଚରଣ ବିଶିଙ୍କୁ ଦେବଗିରି ଆଧ୍ୟାତ୍ମ୍ୟ ସମ୍ମାନ, ସାଧୁ ପ୍ରଭାକର ଦାସଙ୍କୁ ଦେବଗିରି ଭକ୍ତି ସମ୍ମାନ, ତପିମଣି ଜାନୀଙ୍କୁ ଦେବଗିରି ପ୍ରଜ୍ଞା ସମ୍ମାନ, ରାଜୀବ କୁମାର ଅଗ୍ରୱାଲଙ୍କୁ ଦେବଗିରି ସମାଜସେବା ସମ୍ମାନ, ତ୍ରିପୁର ନାୟକଙ୍କୁ ଦେବଗିରି ସମବାୟ ସମ୍ମାନ, ମିହିର କୁମାର ଭୋଇଙ୍କୁ ଦେବଗିରି କ୍ରିଡ଼ା ସମ୍ମାନ, ଲକ୍ଷ୍ମୀ ରଞ୍ଜନ ବାଗ ଓ ତୁଲାରାମ ବେହେରାଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ, ରବୀନ୍ଦ୍ର କୁମାର ସାହୁଙ୍କୁ ଦେବଗିରି ଦେବଗିରି ସେବା ସମ୍ମାନ, ରେଣୁ ବିଶିଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ ଓ ପ୍ରଦୀପ କୁମାର ସାହୁଙ୍କୁ ଦେବଗିରି ପରିବେଶ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଉପସ୍ଥାପକ ଗୋପାଳ ଦାସ ମହାନନ୍ଦ ମଞ୍ଚ ସଂଯୋଜନା କରିଥିବାବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଅବସରରେ କଳିଙ୍ଗର ଦିଗବିଜୟୀ ସମ୍ରାଟ ଖାରବେଳଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା। ଦରବାରରେ ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି, ପ୍ରାଚୀନ ଭାରତୀୟ ସାମରିକ କଳା ଅହିରାଣୀ ଖଡ୍ଗ ଯୁଦ୍ଧ, ଉତ୍କଳୀୟ କଳାର ଅନନ୍ୟ ସମ୍ଭାର ଓଡ଼ିଶୀ ନୃତ୍ୟ ଓ ପଶ୍ଚିମ ଓଡ଼ିଶାର ଅନେକ ଲୋକନୃତ୍ୟ ଏବଂ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସାମାଜିକ ନାଟକ ‘ଧରନୀ’ ପ୍ରଦର୍ଶିତ ହୋଇଥିଲା।





