କର୍ମଚାରୀ ଓ ଗାଡି ଅଭାବ ସତ୍ୱେ ପେଟ୍ରୋଲିଂ ଓ ଚଢାଉ ରଖିଛି ବିଭାଗ
ରାୟଗଡ,୧୭/୮ : ରାଜ୍ୟ ସରକାର ଅବକାରୀ ବିଭାଗରୁ ଅଧିକ ରାଜସ୍ୱ ପାଇଥାନ୍ତି । ଯାହାକୁ ନେଇ ପ୍ରତି ଆର୍ଥିକ ବର୍ଷରେ ସମସ୍ତ ଜିଲ୍ଳାଗୁଡିକକୁ ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି । ଏହି କ୍ରମରେ ଆର୍ଥିକ ବର୍ଷ ୨୦୧୮-୧୯ ଏବଂ ୨୦୧୯-୨୦ବର୍ଷରେ ରାୟଗଡ ଜିଲ୍ଳା ପାଇଁ ୧୮କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ଦେଇଛନ୍ତି । ରାୟଗଡ ଜିଲ୍ଳାରୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରାଯାଇ ତାହାଠାରୁ ଅଧିକ ରାଜସ୍ୱ ପ୍ରଦାନ କରୁଥିବାରୁ ରାଜ୍ୟ ସରକାରଙ୍କ ଦୃଷ୍ଟି କୋଣରେ ରାୟଗଡ ଜିଲ୍ଳାର ଗୁରୁତ୍ୱ ରହିଛି । ତେବେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଏହି ଦୁଇ ଆର୍ଥିକ ବର୍ଷ ମଧ୍ୟରେ ଚଳିତ ବର୍ଷର ଏପ୍ରିଲ ଠାରୁ ଜୁଲାଇ ମାସ ସୁଦ୍ଧା ୪କୋଟି ୭୬ଲକ୍ଷ ୩୨ହଜାର ୩୭୨ଟଙ୍କା ଆଦାୟ ହୋଇସାରିଛି । ଗତ ବର୍ଷ ଜୁଲାଇ ୩୧ତାରିଖ ସୁଦ୍ଧା ୧କୋଟି ୧୦ଲକ୍ଷ ୪୪ହଜାର ୮୭୬ଟଙ୍କା ଆଦାୟ କରିଥିବା ବେଳେ ଚଳିତ ବର୍ଷର କେବଳ ଜୁଲାଇ ମାସରେ ହିଁ ୩କୋଟି ୫୩ଲକ୍ଷ ୩୫ହଜାର ୧୨୩ଟଙ୍କା ଆଦାୟ ହୋଇଥିବା ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି । ସେହିପରି ଗତ ବର୍ଷର ଲକ୍ଷ୍ୟ ଧାର୍ଯ୍ୟକୁ ନେଇ ଜୁଲାଇ ମାସର ରାଜସ୍ୱ ଆଦାୟ ଚଳିତ ବର୍ଷର ଆଦାୟ ଅନୁସାରେ ୨୬.୪୬ପ୍ରତିଶତ ଅଧିକା ରହିଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
୨୦୧୮-୧୯ଆର୍ଥିକ ବର୍ଷରେ ୧୮୪ଟି କେସ ରୁଜୁ ହୋଇଥିବା ବେଳେ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ବର୍ତମାନ ସୁଦ୍ଧା ୨୭୫ଟି ମାମଲା ରୁଜୁ କରାଯାଇଛି । ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ଜବତ କରାଯାଇଥିବା ଗଂଜେଇ, ବିଦେଶୀ ମଦ, ପୋଚ, ଦେଶୀ ରନ୍ଧା ମଦ ଆଦି ୫ଲକ୍ଷ ୫୦ହଜାର ୧୨୩ଟଙ୍କା ସାମଗ୍ରୀ ନଷ୍ଟ କରାଯାଇଥିବା ବେଳେ ଚଳିତ ବର୍ଷ ୧୨ଲକ୍ଷ ୬୭ହଜାର ୪୮୫ଟଙ୍କାର ସାମଗ୍ରୀ ନଷ୍ଟ କରାଯାଇଥିବା ମଧ୍ୟ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ରାୟଗଡ ଜିଲ୍ଳାରେ ବୃଦ୍ଧି ପାଉଥିବା ଗଂଜେଇ ଚୋରା ଚାଲାଣ,ଚୋରା ଦେଶୀ ରନ୍ଧାମଦ ଆଦି ଅବକାରୀ ନିୟମକୁ ଉଂଲଘନ କରୁଥିବା କାର୍ଯ୍ୟକଳାପକୁ ରୋକିବା ଦିଗରେ ରାଜ୍ୟ ଅବକାରୀ ବିଭାଗର ସ୍ୱୀକୃତି କ୍ରମେ ଜିଲ୍ଳାର କଲ୍ୟାଣସିଂହପୁର, ଗୁଣପୁର, କାଶିପୁର, ଗୁଡାରୀ ଓ ବିଷମକଟକରେ ନୂତନ ଭାବେ ସଦର ଅବକାରୀ ଥାନା ପାଇଁ କୋଠାଗୁଡିକର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତେବେ ମିଳିଥିବା ସୂଚନା ପ୍ରକାରେ କେବଳ ୨ଟି ସରକାରୀ ଗାଡି ଯୋଗାଇ ଦିଆଯାଇଥିବା ବେଳେ ପେଟ୍ରୋଲିଂ ଓ ଚଢାଉ ଜାରି ରଖିଛି ଅବକାରୀ ବିଭାଗ । ବର୍ତମାନ ଜିଲ୍ଳା ଅବକାରୀ ବିଭାଗରେ ଗାଡି ଓ କର୍ମଚାରୀର ଅଭାବ ସ୍ୱତେ ଜିଲ୍ଳାର ବିଭିନ୍ନ ଅଂଚଳରେ ପେଟ୍ରୋଲିଂ ଓ ଚଢାଉ ଜାରି ରଖାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି ।