ବାଲେଶ୍ୱରରେ ଅନୁଷ୍ଠିତ ହେଲା ବିରାଟ ରାବଣପୋଡ଼ି ସମାରୋହ : ସମାଜକୁ ନିଶାମୁକ୍ତ କରିବା ସହ ସାଇବର ଠକେଇରୁ ସତର୍କ ରହିବାକୁ ମନ୍ତ୍ରୀଙ୍କ ଆହ୍ଵାନ

ଆକାଶରେ ଆତସବାଜିର ରଙ୍ଗିନ ଆସର, ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ରାବଣପୋଡ଼ି କମିଟି ପକ୍ଷରୁ ସହରର ଆଇଟିଆଇ ପଡ଼ିଆରେ ୨୭ତମ ବିରାଟ ରାବଣପୋଡ଼ି ସମାରୋହ ମହାନବମୀ ସନ୍ଧ୍ୟାରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଆକାଶଛତା ଓ ଆକର୍ଷଣୀୟ ଆତସବାଜିର ରଙ୍ଗିନ ପ୍ରଦର୍ଶନ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟନାଟିକା ‘ସୀତା ହରଣ’ ଓ ‘ରାବଣ ଯୁଦ୍ଧ’ ଉତ୍ସବର ଆକର୍ଷଣ ବଢ଼ାଇଥିଲା। ଏହି ଅବସରରେ ନିଶା ରାକ୍ଷସ ଓ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ରାବଣପୋଡ଼ି ଉତ୍ସବର ଉଦ୍‌ଘାଟନ କରିଥିଲେ। ସମାଜକୁ ନିଶାମୁକ୍ତ କରିବା ସହ ସାଇବର ଠକେଇରୁ ସତର୍କ ରହିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।ସମାରୋହରେ ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ୍‌ପି ପ୍ରତ୍ୟୁଷ ଦିବାକର, ଉପଜିଲ୍ଲାପାଳ ଶିବ ମାଲ୍ୟବ୍, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ବିଧାୟକ କାନ୍ଦରା ସୋରେନ, ରାବଣପୋଡ଼ି କମିଟିର ଉପଦେଷ୍ଟା ହରେକୃଷ୍ଣ ଦାଶ ଓ କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶାରଦୀୟ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଥିଲେ।

କମିଟିର ସଭାପତି ଡ. ଲକ୍ଷ୍ମୀନାରାୟଣ ମହାନ୍ତି ସଭାପତିତ୍ୱ କରିବା ସହ ରାବଣପୋଡ଼ି ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସାଧାରଣ ସମ୍ପାଦକ କିଶୋର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପସଭାପତି ଭାଗବତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସଫଳତା ପାଇଁ ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର, ସୁଲଗ୍ନା ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଡ. ଘନଶ୍ୟାମ ବିଶ୍ୱାଳ, ଶିକ୍ଷାବିତ୍ ତଥା ଜଗନ୍ନାଥ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ପ୍ରତିଷ୍ଠାତା ଗଙ୍ଗାଧର ଜେନା, ସମାଜସେବୀ ସୁମନ୍ତ କୁମାର ଜେନା ଏବଂ ମା’ ବୁଢ଼ୀ ବାଶୁଳୀ ଡାନ୍ସ ଗ୍ରୁପ୍‌କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭା ପ୍ରାରମ୍ଭରେ ରାବଣପୋଡ଼ି କମିଟିର ପ୍ରତିଷ୍ଠାତା ସ୍ୱର୍ଗତ ବିସ୍ମୟ ମହାନ୍ତିଙ୍କ ସ୍ମୃତିରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଆକାଶଛତା ପ୍ରଦର୍ଶନ, ବିଭିନ୍ନ ପ୍ରକାର ଆତସବାଜି ଏବଂ ସାଂସ୍କୃତିକ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।‌ କମିଟିର ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ସତ୍ୟଶିବ ସୁନ୍ଦର ଦାଶ, ରାମନାରାୟଣ ଶତପଥୀ, ଯୁଗ୍ମ ସମ୍ପାଦିକା ରଞ୍ଜିତା ମହାପାତ୍ର, କୋଷାଧ୍ୟକ୍ଷ ଜ୍ୟୋତିରାଦିତ୍ୟ ମହାନ୍ତି, ଦିବ୍ୟଜ୍ୟୋତି ମହାନ୍ତି, ‘ଆଜିକାଲି’ ସମ୍ପାଦକ ନିର୍ମାଲ୍ୟ ମହାନ୍ତିଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟା ରାଧାକୃଷ୍ଣ ଦାସ, ଶୁଭେନ୍ଦୁ ପଟ୍ଟନାୟକ, ସନ୍ଧ୍ୟାରାଣୀ ଭୂୟାଁ, ମିନତୀ ସେଠୀ, ଛବିରାଣୀ ମନ୍ତ୍ରୀ, ରୋଜି ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.