ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନିଖିଳ ଓଡ଼ିଶା ଏମଡିଏମ ପାଚିକା ସହାୟିକା ସଂଘ କୋକସରା ପକ୍ଷରୁ ଗୁରୁବାର ୧୫ ଦଫା ଦାବି ନେଇ ବିକ୍ଷେଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ କଲେଜ ଛକଠାରୁ ଏକ ଶୋଭାଯାତ୍ରା ବାହାରି ଶତାଧିକ ପାଚିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପ୍ରତିବାଦ ସଭାରେ ରିକିରାମ ଭାଟି ସଭାପତିତ୍ବ କରିଥିଲେ। ଏଥିରେ ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର ଯୋଗଦେଇ ପାଚିକା ମାନଙ୍କ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏବଂ ସେମାନଙ୍କୁ ପ୍ରତିମାସ ୧୦ ତାରିଖରେ ପାରିଶ୍ରମିକ ମିଳୁ ନଥିବାରୁ କ୍ଷେଭ ପ୍ରକାଶ କରିଥିଲେ। ପାଚିକା ମାନଙ୍କୁ ସର୍ବନିମ୍ନ ମଜୁରୀ, ସରକାରୀ କର୍ମଚାରୀର ମାନ୍ୟତା, ଅବସର ପରେ ଆର୍ଥିକ ସହାୟତା ସହ ପେନସନ, ଅବସର ବୟସ ୬୨ ବର୍ଷ କୁ ବୃଦ୍ଧି, ପାଚିକା ମାନଙ୍କୁ ଛୁଟିର ବ୍ୟବସ୍ଥା, ବିମାରାଶି ୫ ଲକ୍ଷକୁ ବୃଦ୍ଧି ଭଲି ୧୫ ଗୋଟି ପ୍ରମୁଖ ଦାବି ଗୁଡିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏବଂ ଆଗାମୀ ଦିନରେ ଦାବି ଗୁଡିକ ସରକାର ପୁରଣ ନ କଲେ ସାରା ରାଜ୍ୟରେ ମିଳିତ ମଞ୍ଚର ଆହ୍ଵାନ କ୍ରମେ ଆନ୍ଦୋଳନ କରାଯିବା ନେଇ ସଂଘ ନିଷ୍ପତ୍ତି ନେଇଥିବା କୁହାଯାଇଛି। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ସବିତା ଖର୍ସେଲ, କୁନ୍ତଳା ନାଏକ, ଫୁଲମତି ରାଉତ, ଋକ୍ମଣୀ ନାଗ, ଚନ୍ଦ୍ରକଳା ଧରୁଆ, ଅମୃତ ରାଉତ, ସେବତୀ ନାଏକ, ଦୀପା ପଟେଲ, ଜୟନ୍ତୀ ଶବର, କୁନି ରାଉତ ସମେତ ଶତାଧିକ ପାଚିକା ଉପସ୍ଥିତ ରହିଥିଲେ।





