ଭଣ୍ଡାର ଡଙ୍ଗରୀରୁ ପ୍ରେମୀ ଯୁଗଳ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ୫ ଦିନ ତଳେ ନିଖୋଜ ପ୍ରେମୀ ଯୁଗଳଙ୍କ ମୃତ ଦେହ ଧର୍ମଗଡ ବ୍ଲକ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ଶୀର୍ଷ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ହତ୍ୟା ପରେ ଘଟଣାକୁ ଆତ୍ମହତ୍ୟା ରୂପ ଦେବାକୁ ପ୍ରେମୀ ଯୁଗଳଙ୍କୁ ଗଛ ଉପରେ ଟାଙ୍ଗି ଦିଆଯାଇଛି। ଦେହ ସାରା ରକ୍ତ ଛିଟା ଥିବା ସହ ଦୁଇ ହାତ ପଛ ପଟେ ବନ୍ଧା ଥିବା ଅବସ୍ଥାରେ ଉଭୟ କେମିତି ଆତ୍ମହତ୍ୟା କଲେ ତାକୁ ନେଇ ସାଧାରଣରେ ସନ୍ଦେହ ଦେଖାଦେବା ସହ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସରୁ ମିଳିଥିବା ସୂଚନା ଅନୁଯାୟୀ କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ପ୍ରହଲ୍ଲାଦ ନାଏକଙ୍କ ପୁଅ ଅଜିତ କୁମାର ନାଏକ ଓ ଧର୍ମଗଡ ସହର ଅନ୍ତର୍ଗତ କେନ୍ଦୁମୁଡ଼ି ପଡାର ପ୍ରିୟ ଦର୍ଶିନୀ ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଗତ ୧୭ତାରିଖ ଦିନ ସେମାନେ ରାତିରୁ ନିଖୋଜ ହୋଇ ଯାଇଥିଲେ। ଏନେଇ ଉଭୟ ପକ୍ଷରୁ କୋକସରା ଓ ଧର୍ମଗଡ ଥାନା ରେ ନିଖୋଜ ମାମଲା କରାଯାଇଥିଲା। ତେବେ ଗୁରୁବାର ସକାଳେ କିଛି ଲୋକ ବେହେରା ସ୍ଥିତ ଭଣ୍ଡାର ଡଙ୍ଗରୀକୁ କାଠ ସଂଗ୍ରହ କରିବାକୁ ଯାଇ ଝଲନ୍ତା ମୃତ ଦେହକୁ ଦେଖିଥିଲେ। ଏହି ଘଟଣା ପ୍ରଚାରିତ ହେବାପରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ମୃତ ଦେହ ଦୁଇଟି ପ୍ରାୟ ପଚି ଯାଇଥିବା ବେଳେ ମୁଣ୍ଡ ବାଳ ତଳେ ଝରି ପଡିଛି। ପରେ ଘଟଣା ସମ୍ପର୍କରେ ଉଭୟଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ।ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଧର୍ମଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି। ତେବେ ପୁଅଙ୍କ ପରିବାର ଲୋକ କହିବା ଅନୁଯାୟୀ ଏହି ଘଟଣାରେ ଝିଅଙ୍କ ପରିବାର ଲୋକ ହତ୍ୟା କରିଥିବା ସନ୍ଦେହ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.