କୋଟିଆକୁ ନେଇ ତେଜିଲା ଆନ୍ଧ୍ର-ଓଡ଼ିଶା ବିବାଦ: ତିନି ଗାଁରେ ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତି; ଦୁଇ ଦିନ କୋଟିଆରେ ରହି ସ୍ଥିତି ତଦାରଖ କରିବେ ଉପଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ପୁଣି ତୀବ୍ର ହୋଇଛି। କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫଗୁଣସିନେରୀ, ଗଞ୍ଜେଇପଦର ଓ ଫାଟୁସିନେରୀ ଗାଁରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଚାଲିଥିବା ଖବରକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଓଡ଼ିଶା ସରକାର ମଧ୍ୟ ପ୍ରଶାସନିକ ତତ୍ପରତା ବଢ଼ାଇଛନ୍ତି। କୋଟିଆରେ ସ୍ଥିତି ଉପରେ ନଜର ରଖିବାକୁ ଉପଜିଲ୍ଲାପାଳ ଦୁଇ ଦିନ ରହି ତଦାରଖ କରିବେ। ଏଥିସହ ଜଣେ ପୁଲିସ ଅଧିକାରୀ ଓ ଜଣେ ରାଜସ୍ୱ ଅଧିକାରୀଙ୍କୁ ସେଠାରେ ନିୟୋଜିତ କରିବା ସହ ନିୟମିତ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ କୋଟିଆର ସ୍ଥିତି ଓ ପ୍ରଶାସନିକ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା। ବୈଠକରେ କୋରାପୁଟ ଜିଲ୍ଲାପାଳ, ଏସ୍‌ପି, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଆଇନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ, କୋଟିଆ ବିବାଦର ସମାଧାନ ପାଇଁ ଆଇନଗତ ପଦକ୍ଷେପ ଉପରେ ମଧ୍ୟ ରାଜ୍ୟ ସରକାର ବିଚାର କରୁଥିବା ଜଣାଯାଇଛି। ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାର ପରବର୍ତ୍ତୀ ସ୍ଥିତି ଓ ସମ୍ଭାବ୍ୟ ଆଇନଗତ ପଦକ୍ଷେପ ଏହି ପ୍ରସଙ୍ଗରେ ଗୁରୁତ୍ୱ ବହନ କରୁଛି।

କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତିକୁ ମୁକାବିଲା କରିବା ପାଇଁ ଓଡ଼ିଶା ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି। ଦୀର୍ଘଦିନ ଧରି ଚାଲିଥିବା କୋଟିଆ ସୀମା ବିବାଦର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଏବେ ତିନିଟି ଗାଁକୁ ନେଇ ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତି ଓ ଓଡ଼ିଶାର ପ୍ରଶାସନିକ ପଦକ୍ଷେପ ଏହି ପ୍ରସଙ୍ଗକୁ ପୁଣି ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି। ଉପଜିଲ୍ଲାପାଳଙ୍କ ଦୁଇ ଦିନିଆ ରହଣି ଓ ଅଧିକାରୀଙ୍କ ନିୟୋଜନ କେତେ ପ୍ରଭାବଶାଳୀ ହେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି ସୁଦୃଢ଼ କରିବା ସହ ସ୍ଥାନୀୟ ଲୋକଙ୍କ ଆସ୍ଥା ବଜାୟ ରଖିବା ସରକାରଙ୍କ ପାଇଁ ମୁଖ୍ୟ ଆହ୍ୱାନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.