ସିକେରକୁପା – ପୋଖରି ବନ୍ଧ ରାସ୍ତାରେ ଗାଡି ମଟର ଜାମ, ଜୀବନ ଯାତ୍ରା ବ୍ୟାହତ
ଲାଞ୍ଜିଗଡ,୧୯/୮ : ନର୍ଲା ବ୍ଲକର ଛତିକୁଡା ଛକ ଠାରୁ ଲାଞ୍ଜିଗଡ ବ୍ଲକର କିଡିଂ – ପୋଖରିବନ୍ଧ ଦେଇ ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ସାରା ଶହ ଶହ ଗାଡି ମଟର ଯାତାୟତ କରୁଥିବାରୁ ଅନେକ ସ୍ଥାନରେ ବଡ ବଡ ଖାଳ ଖମା ହୋଇ ଗମନା ଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି । ଏହି ରାସ୍ତାରେ ସବୁବେଳେ ଛୋଟ ବଡ ଦୂର୍ଘଟଣା ଘଟି ଚାଲିଥିବା ବେଳେ ତିନି ଦିନ ହେଲା ରାସ୍ତା ଜାମ ହୋଇପଡିଛି । ସିକେରକୁପା ଛକ ଠାରୁ ଟିକିଏ ଆଗକୁ ଯିବାପରେ ସେଠାରୁ ପୋଖରି ବନ୍ଧ ପର୍ଯ୍ୟନ୍ତ ଶହ ଶହ ମାଳବାହୀ ଗାଡି ଠିଆ ହୋଇ ରହିଛି । ଯାହା ଫଳରେ ସାଧାରଣରେ ଜୀନଯାତ୍ରା ବ୍ୟାହତ ହୋଇଛି । ଗତ ଶନିବାର ଦିନ ବେଦାନ୍ତ ଗାଡି ସହ ଅନ୍ୟ ତିନୋଟି ଟ୍ରକ ପିଟି ହୋଇ ଦୂର୍ଘଟଣାଗ୍ରସ୍ଥ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ବେଦାନ୍ତ କମ୍ପାନୀକୁ ଆସୁଥିବା ଗାଡିସବୁ ପାଷ୍ଟିକୁଡି – ଦେପୁର – ଛତିକୁଡା – ସାନ୍ତପୁର – କିଡିଂ – ପୋଖରିବନ୍ଧ – ଅମ୍ବାଦୋଲା – ଦଇଖାଲ ଦେଇ ବେଦାନ୍ତକୁ ଯାଇଥାଏ ।
ଜନତାଙ୍କ ଅଭିଯୋଗ ହେଲା ବେଦାନ୍ତ କମ୍ପାନୀ ପାଇଁ ରାସ୍ତା ଖରାପ ହେଉଛି, କିନ୍ତୁ ରାସ୍ତା ସୁଧାରିବାକୁ ବେଦାନ୍ତ ଧ୍ୟାନ ଦେଉନାହିଁ । ଏହି ରାସ୍ତା ବଳରେ ବେଦାନ୍ତ କୋଟି କୋଟି ଟଙ୍କା ଫାଇଦା ମାରୁଥିବା ସମୟରେ ଏହାର ରକ୍ଷଣା ବେକ୍ଷଣ ନକରିବା ପରିତାପର ବିଷୟ ଅଟେ । ଏମିତିରେ ବେଦାନ୍ତ ଲାଞ୍ଜିଗଡକୁ ଆସିବାପରେ ଏଅଞ୍ଚଳର ଜୀବନ ଧାରଣର ମାନରେ ପରିବର୍ତ୍ତନ ହେବା ପରିବର୍ତ୍ତେ ସାଧାରଣ ଜନତା କଷ୍ଟକର ଜୀବନ ଜାପନ କରୁଛନ୍ତି । ବେଦାନ୍ତର ଶହ ଶହ ମାଳବାହୀ ଗାଡି ଯୋଗୁଁ ବାୟୁ ପ୍ରଦୂଷଣ ବଢିବା ସହ ରାସ୍ତାର ଅବସ୍ଥା ସୋଚନୀୟ ହୋଇପଡିଛି ।
ସାଧାରଣ ଜନତା ଯେତେବେଳେ ଏହି ରାସ୍ତାରେ ଜରୁରୀ କାମରେ ଯାଉଛି ତ ତାକୁ ଯମ ଯନ୍ତ୍ରଣା ସହିବାକୁ ପଡୁଛି । ରୋଗୀ ଟିଏକୁ ଆମ୍ବୁଲାନସରେ ନେଇ ଯିବା ସମୟର କଷ୍ଟ ଅନୁଭବି ହିଁ ଜାଣି ପାରିବ । ରାସ୍ତାର ଖରାପ ଅବସ୍ଥା ପାଇଁ ବେଦାନ୍ତ ହିଁ ଦାୟୀ, ତେଣୁ ପ୍ରଶାସନ ଏହା ଉପରେ ବିହିତ ପଦକ୍ଷେପ ନେଉ ନହେଲେ ଆଗକୁ ଜନ ଆନ୍ଦୋଳନ ହେବା ଜଳ ଜଳ ଦିଶୁଛି ବୋଲି ଜିଲ୍ଲାର ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛ ।