‘ସୀତାକାନ୍ତଙ୍କ କବିତାରେ ମିଥ୍ ର ପ୍ରୟୋଗ ଅନନ୍ୟ’

•• ‘ଭଲ କବିତାର ଖୋଜ୍’ ପକ୍ଷରୁ ଆୟୋଜିତ ହେଲା ସୀତାକାନ୍ତ କାବ୍ୟ ସନ୍ଧ୍ୟା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଏସିପିଏଲ୍ ସମ୍ମିଳନୀ କକ୍ଷରେ ‘ଭଲ କବିତାର ଖୋଜ୍’ର ୮୧ତମ ଆସରରେ ବିଖ୍ୟାତ କବି ସୀତାକାନ୍ତ ମହାପାତ୍ରଙ୍କ କବିତା ସମ୍ପର୍କରେ ଏକ କାବ୍ୟ ସନ୍ଧ୍ୟା ଆୟୋଜିତ ହୋଇଯାଇଛି।

‘ଭଲ କବିତାର ଖୋଜ୍’ର ଆବାହକ କବି କୃଷ୍ଣ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ‘ସୀତାକାନ୍ତ କାବ୍ୟ ସନ୍ଧ୍ୟା’ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ଗୌତମ ଜେନା।

ଡକ୍ଟର ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସୀତାକାନ୍ତ ମହାପାତ୍ରଙ୍କ ଅଧିକାଂଶ କବିତା ମୋଟିଭେସନାଲ୍। ମନକୁ ମୋହିଦିଏ। ତାଙ୍କ କବିତାର ମିଥ୍ ପ୍ରୟୋଗ ଉପରେ ଆଲୋଚନା କରିବା ସହିତ ଡକ୍ଟର ଜେନା ସୀତାକାନ୍ତଙ୍କ କବିତାରେ ଚିତ୍ରକଳ୍ପର ବ୍ୟାଖ୍ୟା କରିଥିଲେ।

ତାଙ୍କ କବିତାକୁ ତିନି ଭାଗରେ ବିଭକ୍ତ କରି ସେ କେମିତି ଜୀବନ ଯନ୍ତ୍ରଣାର କବିତା, ଜୀବନବୋଧର ଅନ୍ଵେଷଣ ଓ ଅମୃତର ସୋପାନରେ ଜୀବନକୁ ନେଇ କବିତା ରଚନା କରିଛନ୍ତି ସେବିଷୟରେ ଆଲୋଚନା କରି ସୀତାକାନ୍ତ ଆମ ସଂସ୍କୃତି ଓ ଐତିହ୍ୟର କବି ବୋଲି କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ କବି ଶ୍ରୀଦେବ, ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳ, କବି ଉତ୍ପଳ ମହାନ୍ତି, ଡକ୍ଟର ସନ୍ତୋଷ କୁମାର ନାୟକ, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, କବି ଅଭୟ ଦାସ, କବି ଓ ଗାଳ୍ପିକା ଦେବଯାନୀ ଦାସ, କବି ପ୍ରତୀଚୀ ନନ୍ଦ, ଅନୁବାଦିକା ଦୀପିକା ସେନାପତି, ମାନସୀ ଜେନା, ଡକ୍ଟର ମହେଶ୍ଵର ପାଢ଼ୀ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, କବି ପ୍ରୀତିଲେଖା ଦାସ୍, କବି କମଳିନୀ କାସ୍ତ ପ୍ରମୁଖ।

ଏହି ଆସରରେ ଡକ୍ଟର ସନ୍ତୋଷ କୁମାର ନାୟକ ଅନ୍ୟତମ ଆଲୋଚକ ଭାବେ ଯୋଗ ଦେଇ ସୀତାକାନ୍ତ ମହାପାତ୍ରଙ୍କ କବିତା ସମ୍ପର୍କରେ କହିଥିଲେ ଯେ, ସୀତାକାନ୍ତଙ୍କ କବିତାରେ ମିଥ୍ ଓ ଆର୍କିଟାଇପ୍ ଉଭୟ ଅତି ଚମତ୍କାର ଭାବେ ରହିଛି। ସୀତାକାନ୍ତଙ୍କ କବିତା ‘ନଈପଠା’, ‘ଖରାବେଳ’, ‘ଏରୋଡ୍ରମ୍’, ‘ଘାସ ଫୁଲ’, ‘ମୋ ଓଡ଼ିଶା’ ଓ ‘କବିତାର ଭରସା’କୁ ଯଥାକ୍ରମେ ପାଠ କରିଥିଲେ ପ୍ରତୀଚୀ ନନ୍ଦ, ଦୀପିକା ସେନାପତି, କମଳିନୀ କାସ୍ତ, ସାରଙ୍ଗଧର ତ୍ରିପାଠୀ, ଦେବଯାନୀ ଦାସ ଓ ପ୍ରୀତିଲେଖା ଦାସ୍। କବି ଶ୍ରୀଦେବ ସୀତାକାନ୍ତ ମହାପାତ୍ରଙ୍କ ଏକ ସାକ୍ଷାତକାର ପଢି ଶୁଣାଇବା ପରେ କବି ଉତ୍ପଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.