ଶୈକ୍ଷିକ ଭ୍ରମଣରେ ଆସିଥିବା ପଟ୍ଟାମୁଣ୍ଡାଇ କଲେଜ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଲା ଫକୀର ମୋହନ ସାହିତ୍ୟ ପରିଷଦ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପଟ୍ଟାମୁଣ୍ଡାଇ କଲେଜ, କେନ୍ଦ୍ରାପଡାର ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ପ୍ରମୋଦ କୁମାର ସ୍ବାଇଁ ଓ ପାଞ୍ଚଜଣ ଅଧ୍ୟାପକ ଅଧ୍ୟାପିକାଙ୍କ ନେତୃତ୍ୱରେ ୪୦ଜଣ ଛାତ୍ରଛାତ୍ରୀ ଶୈକ୍ଷିକ ଭ୍ରମଣରେ ଆସି କବିତୀର୍ଥ ଶାନ୍ତିକାନନରେ ପହଞ୍ଚିଥିଲେ। ଫକୀରମୋହନଙ୍କ ଜୀବନ, ସାହିତ୍ୟ ଓ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ସମ୍ପର୍କରେ ଅବଗତ ହେବା ପାଇଁ ଆସିଥିବା ବେଳେ ସେମାନଙ୍କର ଅଭ୍ୟର୍ଥନା ନିମିତ୍ତ ଫକୀର ମୋହନ ସାହିତ୍ୟ ପରିଷଦ ତରଫରୁ ବିଷୟ ବିଶାରଦ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ପୌରୋହିତ୍ୟ କରିଥିବା ବେଳେ ପ୍ରାକ୍ତନ ସଭାପତି ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଓ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ବିଷୟ ବିଶାରଦ ରୂପେ ଯୋଗ ଦେଇ ଫକୀର ମୋହନ ସେନାପତିଙ୍କ ଜୀବନ, ଗଳ୍ପ, ଉପନ୍ୟାସ ଓ କବିତା ଉପରେ ଗବେଷଣା ଧର୍ମୀ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ। ପରିଷଦର ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ କଥନ ରଖିବା ସହ ଫକୀର ମୋହନ ସେନାପତିଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ। ପରିଷଦ ତରଫରୁ ଡକ୍ଟର ପ୍ରମୋଦ କୁମାର ସ୍ବାଇଁଙ୍କୁ ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁଗ୍ମ ସମ୍ପାଦକ ରାଜେଶ କୁମାର ଗିରି ଧନ୍ୟବାଦ ଦେଇଥିଲେ। ବାଲେଶ୍ବରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ ସଭାରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.