JJ Act ଉଲ୍ଲଂଘନ ଅଭିଯୋଗ, ପୁନଃତର୍ଜ୍ଜମା ଓ ବିଧିବଦ୍ଧ ତଦନ୍ତ ପାଇଁ ଦାବୀ
ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ସମିତି (CWC) ର ଅଧ୍ୟକ୍ଷ ଓ ସଦସ୍ୟ ମନୋନୟନ ଏବଂ ଚୟନ ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞାପନ ସଂଖ୍ୟା–23824, ତାରିଖ 05.06.2025 ରେ ସମସ୍ତ ଖବରକାଗଜରେ ଅଧ୍ୟକ୍ଷ ଓ ସଦସ୍ୟ ମନୋନୟନ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ପରେ ସଂଶୋଧିତ ବିଜ୍ଞାପନ ସଂଖ୍ୟା–15254, ତାରିଖ 21.06.2025 ପ୍ରକାଶ କରାଯାଇଥିଲା।
ଏହି ସଂଶୋଧିତ ବିଜ୍ଞାପନରେ ବର୍ତ୍ତମାନ ଶିଶୁ କଲ୍ୟାଣ ସମିତିରେ କାର୍ଯ୍ୟରତ ସଦସ୍ୟ/ସଦସ୍ୟାମାନେ ଅଧ୍ୟକ୍ଷ ପଦବୀ ପାଇଁ ଆବେଦନ କରିପାରିବେ ବୋଲି ଦର୍ଶାଯାଇଥିଲା, କିନ୍ତୁ ବର୍ତ୍ତମାନ କାର୍ଯ୍ୟରତ ଅଧ୍ୟକ୍ଷମାନେ ନା ସଦସ୍ୟ, ନା ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଥିଲା।
ଉଲ୍ଲେଖଯୋଗ୍ୟ ଯେ କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଆଇନ୍–2015 ର ଧାରା 27(3) ଅନୁଯାୟୀ, ଶିଶୁ କଲ୍ୟାଣ ସମିତିର କୌଣସି ଅଧ୍ୟକ୍ଷ କିମ୍ବା ସଦସ୍ୟ ଧାରାବାହିକ ଭାବରେ ପୁନଃ ନିଯୁକ୍ତ ହୋଇପାରିବେ ନାହିଁ ଏବଂ ଏକାଧିକ କାଲଖଣ୍ଡ ପାଇଁ ଲଗାତାର ଚୟନ ଆଇନ୍ସମ୍ମତ ନୁହେଁ। କିନ୍ତୁ ଏହି ସ୍ପଷ୍ଟ ଆଇନଗତ ବ୍ୟବସ୍ଥାକୁ ଉଲ୍ଲଂଘନ କରି ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକଙ୍କ ଦସ୍ତଖତରେ ସଦସ୍ୟ/ସଦସ୍ୟାମାନଙ୍କୁ ପୁନଃ ଏବଂ ଧାରାବାହିକ ଚୟନ ପାଇଁ ସଂଶୋଧିତ ବିଜ୍ଞାପନ ପ୍ରକାଶ କରାଯାଇଥିବା ଅଭିଯୋଗ ହେଉଛି।
ଏହାପରେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିଥିଲେ। ବର୍ତ୍ତମାନ ଶିଶୁ କଲ୍ୟାଣ ସମିତିରେ କାର୍ଯ୍ୟରତ ଅଧ୍ୟକ୍ଷ ଓ ସଦସ୍ୟ/ସଦସ୍ୟାମାନେ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ପ୍ରାର୍ଥୀପତ୍ର ଯାଞ୍ଚ, ମନୋନୟନ ଓ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। କିଛି ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚନା କରି ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ସାକ୍ଷାତ୍କାର ନିମନ୍ତେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଭୁବନେଶ୍ୱର କାର୍ଯ୍ୟାଳୟକୁ ଡାକାଯାଇଥିଲା, କିନ୍ତୁ ସେହି ପ୍ରାର୍ଥୀମାନଙ୍କୁ ଅନ୍ୟ ଜିଲ୍ଲା ପାଇଁ ଯୋଗ୍ୟ ବିବେଚିତ କରାଯାଇନଥିବାରୁ ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଗଭୀର ପ୍ରଶ୍ନ ଉଠିଛି।
ଏହି ସମଗ୍ର ଘଟଣା କିଶୋର ନ୍ୟାୟ ଆଇନ୍ର ଉଲ୍ଲଂଘନ ବୋଲି ଅଭିଯୋଗ ହେଉଥିବା ବେଳେ, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଓ ସଦସ୍ୟ ଚୟନ ପ୍ରକ୍ରିୟାର ପୁନଃତର୍ଜ୍ଜମା, ସମସ୍ତ ଚୟନକୁ ସ୍ଥଗିତ କରି ବିଧିବଦ୍ଧ ତଦନ୍ତ କରାଯିବା ପାଇଁ ସରକାରଙ୍କ ନିକଟରେ ଜୋରଦାର ଦାବୀ କରାଯାଇଛି।




