ମୂଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁଭଦ୍ରା ଶକ୍ତି ମେଳାରେ ଯୋଗଦାନ ସହ ୬୩୩ କୋଟି ଟଙ୍କାର ପ୍ରକଳ୍ପ ଭେଟି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ଆସି ସୁଭଦ୍ରା ଶକ୍ତି ମେଳାରେ ଯୋଗ ଦେବା ସହ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୬୩୩ କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା କରିଛନ୍ତି। ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି । ୧୮୪୮ ଗୋଟି ଏସଏଚଜି ପାଇଁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ବ୍ୟବସ୍ଥା ଘୋଷଣା କରିଛନ୍ତି ।

Omkar Vasthu
Omkar Vasthu

ଭୀମ ଭୋଇଙ୍କ ସମାଧି ପୀଠ ବିକାଶ ପାଇଁ ୩୫ କୋଟି ଟଙ୍କା, ମରାଡୁଗୋଚ୍ଛା ଇନ୍ ଷ୍ଟ୍ରୀମ ଷ୍ଟୋରେଜ ପାଇଁ ୫୫୭ କୋଟି ଟଙ୍କା, ସୋନପୁର ସ୍ଥିତ ସଂସ୍କୃତି ଭବନ ଠାରେ ଓପନ୍‌ ଏୟାର ଥିଏଟର ପାଇଁ ୧୧.୨୩ କୋଟି ଟଙ୍କା, ଗାନ୍ଧୀ ଷ୍ଟାଡିଅମର ନବୀକରଣ ପାଇଁ ୨୫.୨୮ କୋଟି ଟଙ୍କା, ବ୍ଲକ୍‌ ଛକ ଜଙ୍କସନ ରୋଡ ଉନ୍ନତି କରଣ ପାଇଁ ୪.୨୩ କୋଟି ଟଙ୍କା ଘୋଷଣା କରିଛନ୍ତି ଶ୍ରୀ ମାଝୀ ।

Pearl dental clinic
Near Ashish Medical Store, Bhawanipatna

ସୁବର୍ଣ୍ଣପୁର ଠାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳାରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ କେବଳ ଲାଭାର୍ଥୀ ନୁହନ୍ତି, ସେମାନେ ଓଡ଼ିଶା ବିକାଶ ଯାତ୍ରାରେ ଅଂଶୀଦାର । ସେମାନଙ୍କ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ଉଦ୍ୟୋଗୀ ମନୋଭାବ ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନ ଆଣିଛି । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଖଲିଆପାଲି ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ପରିଦର୍ଶନ କରିବା ସହ ପରିଚାଳନା କମିଟିର ସଦସ୍ୟ ଓ ସାଧୁମାନଙ୍କ ସହିତ ଆଲୋଚନା କରିଥିଲେ ।

Udyog Nursery
Udyogi Nursery

ପରେ ସୋନପୁର ରାମେଶ୍ୱର ଷ୍ଟାଡିୟମ ଠାରେ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଓଡ଼ିଶାର ସାମାଜିକ ଓ ଆଧ୍ୟାତ୍ମିକ ଚେତନାକୁ ଦିଗ୍‌ଦର୍ଶନ ଦେଇଥିବା ସନ୍ଥକବି ଭୀମ ଭୋଇଙ୍କ ସମ୍ମାନାର୍ଥେ ତାଙ୍କ ସମାଧି ପୀଠର ବ୍ୟାପକ ବିକାଶ କରାଯିବ । ଏଥି ନିମନ୍ତେ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ୬୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏହି ଅବସରରେ ୨୭୬ କୋଟି ଟଙ୍କା ମୂଲ୍ୟର ୫୮ ଟି ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିରେ ୧୭୩ କୋଟି ଟଙ୍କା ବ୍ୟୟରେ ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୧୦୩ କୋଟି ଟଙ୍କା ବ୍ୟୟରେ ୩୪ଟି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି । ଏସବୁ ପ୍ରକଳ୍ପ ଗୁଡ଼ିକ ସଡ଼କ, ପାନୀୟ ଜଳ, ଜଳ ସେଚନ, ଶିକ୍ଷା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ବିକାଶ ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୁଭଦ୍ରା ଶକ୍ତି ମେଳାରେ ୧୮୪୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧ-ମୁକ୍ତ ଋଣ ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଗୁଡ଼ିକ ଆହୁରି ମଜବୁତ୍ କରିବ, ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବ ଓ ସେମାନଙ୍କର ଜୀବିକା ବୃଦ୍ଧି କରିବ ବୋଲି ସେ କହିଛନ୍ତି । ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ବିକାଶ ପ୍ରକ୍ରିୟାରେ ସବୁ ବର୍ଗର ଲୋକ ସାମିଲ ହେଉଛନ୍ତି । ଗରିବ, ଆଦିବାସୀ, ମହିଳା ଓ ଯୁବବର୍ଗ ସମସ୍ତଙ୍କର ସଶକ୍ତିକରଣ ହେଉଛି । ବିକାଶ ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ତାହା ଆମେ ସୁନିଶ୍ଚିତ କରୁଛୁ । ଗ୍ରାମାଞ୍ଚଳ ପାଇଁ ଆମେ ରାସ୍ତା, ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଗୃହ ସୁବିଧାକୁ ଉନ୍ନତ କରୁଛୁ । ସହରାଞ୍ଚଳ ପାଇଁ ଆମେ ନାଗରିକ ସୁବିଧା ଓ ସାର୍ବଜନୀନ ସେବାକୁ ଉନ୍ନତ କରୁଛୁ । ସବୁ ଜିଲ୍ଲାରେ ଆମର ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ୧୦୦୦ କୋଟିରୁ ଅଧିକ ଟଙ୍କାର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ କୃଷି, ହସ୍ତତନ୍ତ, ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଏହି ସମ୍ଭାବନାକୁ ସଦୁପଯୋଗ କରି ଜିଲ୍ଲାରେ ସ୍ଥାୟୀ ସମୃଦ୍ଧି ଆଣିବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ।

ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା କହିଥିଲେ ଯେ ଆମ ସରକାର ହେଉଛି, ଲୋକଙ୍କ ସରକାର । ଆମ ସରକାର ଆସିବାର ଏହି ଅଳ୍ପ ଦିନ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର କୃଷି, ଜଳସେଚନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ଅଛନ୍ତି । ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ସ୍ୱାଗତ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ମହାନ ହୃଦୟର ଉଦାହରଣ ଦେବା ସହ ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.