ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ରେଡ୍ କ୍ରସ୍ ଅନ୍ଧ, ମୂକ, ବଧିର ବିଦ୍ୟାଳୟ ପରିସରରେ ସବୁ କିଛି ଠିକ୍ ଚାଲୁନି। ଛାତ୍ର ଛାତ୍ରୀ ମାନେ ଭିତରେ ଚାଲିଥିବା ଅନେକ ଅନ୍ୟାୟ ସମ୍ପର୍କରେ ହାତଲେଖା ଚିଠି ମାଧ୍ୟମରେ କିଛି ବ୍ୟକ୍ତି ବିଶେଷଙ୍କୁ ଜଣାଇଛନ୍ତି। ଜଣେ ଶିକ୍ଷକ ଏଠି ଭକ୍ଷକ ସାଜି ଛାତ୍ରୀ ମାନଙ୍କୁ ଶାରୀରିକ ଶୋଷଣ ପାଇଁ ପ୍ରୟାସ କରୁଥିବା ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏ ନେଇ ଆଜି ପୂର୍ବତନ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହାର ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ, ଦୃଷ୍ଟିହୀନ ବିଦ୍ୟାଳୟର ଅସହାୟ ଛାତ୍ରୀ ମାନଙ୍କୁ ସେହି ବିଦ୍ୟାଳୟର ଓ୍ବାର୍ଡେନ ଦ୍ଵାରା ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଏକ ଭିଡିଓ ଓ ଫଟୋ ଚିତ୍ର ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହି ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରଶାସନ ନଚପାଇ ତୁରନ୍ତ ଓ୍ବାର୍ଡେନ କୁ ବରଖାସ୍ତ କରିବା ସହ ତାଙ୍କ ବିରୋଧରେ ପୋକ୍ସୋ ଏକ୍ଟ ଲଗାଯାଉ ବୋଲି ଛାତ୍ର ବିଜେଡି ଦାବିପତ୍ରରେ ଉଲ୍ଲେଖ କରିଛି। ଏପରିକି ବଧିର ବିଦ୍ୟାଳୟର ଜଣେ ପିଇଟି ଶିକ୍ଷକ ଛାତ୍ର ମାନଙ୍କୁ ଅମାନବୀୟ ଭାବେ ମାଡ଼ ମାରୁଥିବା ଅଭିଯୋଗ ଆସିଛି। ଏଣୁ ଏହାର ତଦନ୍ତ କରି ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ନେତା ମାନେ ଦାବି କରିଛନ୍ତି। ଅନ୍ଧ, ମୁକ ଓ ବଧିର ଛାତ୍ର ଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟରେ ସିସିଟିଭି କ୍ୟାମେରା ସବୁଆଡେ ଲଗାଇବା, ନୂତନ ଭାବେ ପରିଚାଳନା କମିଟିର ଗଠନ କରି ସେହି କମିଟିରେ ଜଣେ ଅନ୍ଧ, ମୁକ ଓ ବଧିର ବିଶେଷଜ୍ଞଙ୍କୁ ସ୍ଥାନ ଦେବା, ବିଦ୍ୟାଳୟ ପରିଚାଳନା କମିଟି ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ବାରମ୍ବାର ସଚେତନତା ଓ ପରିଦର୍ଶନ କରିବାକୁ ଛାତ୍ର ବିଜେଡି ପକ୍ଷରୁ ଦାବୀ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ନେତା ଅବିନାଶ ଠାକୁର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ନିଳାମ୍ବର ସାହୁ, ଛାତ୍ର ନେତା ଶ୍ରୀଚନ୍ଦନ ନାଏକ, ମାନସ ସିନ୍ଦୂର, ନିମସ ତାଣ୍ଡି , ଭୋଳାନାଥ ନାଗ , ଦେବେନ୍ଦ୍ର ମାଝୀ ପ୍ରମୁଖ ଜିଲ୍ଲାପାଳ ସଚିନ ପାଓ୍ବାରଙ୍କୁ ସାକ୍ଷାତ କରିଥିଲେ।





