ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ଵନାଥପୁର ଥାନା ଅନ୍ତର୍ଗତ ଢେପଗୁଡ଼ା ପୋଲରେ ପୁଣି ଏକ କୋଇଲା ବୋଝେଇ ଟ୍ରକ ପୋଲ ତଳକୁ ଖସି ପଡ଼ିଛି। ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର ଢେପଗୁଡ଼ା ଏକ ଅଣ ଓସାରିଆ ପୋଲରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିପଡିଛି ଏକ ଏପି-୩୫- ଟିବି ୫୮୮୫ ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରକ। ଫଳରେ ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ କୋଇଲା ବୋଝେଇ ଟ୍ରକଟି ବିଶାଖାପାଟଣା ଠାରୁ ଭବାନୀପାଟଣା ପଟେ ଯାଉଥିବା ବେଳେ ଢେପଗୁଡ଼ା ଏକ ଅଣ ଓସାରିଆ ପୋଲରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଡ୍ରାଇଭର ଓ ହେଲ୍ପରକୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବିଶ୍ଵନାଥପୁର ପୁଲିସ ତଦନ୍ତ କରୁଛି। ଏହି ଅଣ ଓସାରିଆ ପୋଲରେ ଦିନ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏବେ ପ୍ରତି ସପ୍ତାହକୁ ଗୋଟିଏ ଦୁର୍ଘଟଣା ଘଟୁଛି। ଏଥିରେ କାହାରି ଜୀବନ ଯାଉଛି ତ ଆଉ କାହାରି ହାତଗୋଡ଼ ଭାଙ୍ଗୁଛି। ଆଜି ଏହି ଦୁର୍ଘଟଣାରେ ପୋଲର ସୁରକ୍ଷା ବାଡ଼ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଏହି ପୋଲକୁ ବାରମ୍ବାର ନିମ୍ନମାନର ମରାମତି କରୁଛି ବିଭାଗ। ତେବେ ଏହି ପୋଲକୁ ନୂତନ ଭାବେ ନିର୍ମାଣ ପାଇଁ ଅଭିଯୋଗ ହେଇଆସୁ ହେଁ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ କଳାହାଣ୍ଡି ପୂର୍ତ୍ତ ବିଭାଗ। ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଦୃଷ୍ଟି ଦେଇ ନୂତନ ପୋଲ ନିର୍ମାଣ କରିବା ପାଇଁ ଦାବି ହେଉଛି।





