ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ସ୍ଥିତ ମସ୍କାପଦରଠାରେ ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମା’ ଛାଞ୍ଚେଣ ରୂପେନଙ୍କ ଝାମୁଯାତ୍ରା ସଂମ୍ପନ୍ନ ହୋଇଯାଇଛି। ପରମ୍ପରା ଅନୁଯାୟୀ, ପୂଜକମାନେ ମାଘ ମାସ ସପ୍ତମୀ ଦିନ ୭ଟି ନୂଆ ଚାଙ୍ଗୁଡ଼ିରେ ନଦୀରୁ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଧାନ, ମକା, ବିରି, କୋଳଥ ଇଦ୍ୟାଦି ବିହନ ପକାଇଥିଲେ । ଝାମେରା କଣ୍ଟାରେ ଦୋଳି ତିଆରି କରିଥିଲେ। ଗଜା ହୋଇଥିବା ବିହନ ଓ କଣ୍ଟାଦୋଳିକୁ ନବମୀ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଦିନ ମା’ ଛାଞ୍ଚେନ ରୂପେଣ କଞ୍ଚା ମାଠିଆରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଫାଲ୍ଗୁନ ମାସ କୃଷ୍ଣପକ୍ଷ ପ୍ରତିପଦା ଗୁରୁବାର ଦିନ ମାଆଙ୍କ ଝାମୁଯାତ୍ରା ସଂପନ୍ନ ହୋଇଥିଲା। ସେହିଦିନ ଗ୍ରାମର ଜଣେ ବ୍ୟକ୍ତିଙ୍କ ଦେହରେ ଦେବୀଙ୍କ ଆବିର୍ଭାବ ହୋଇଥିଲେ । ଏହାପରେ ଦେବୀଙ୍କ କାଳିଶି ମୁଖ୍ୟ ପୀଠସ୍ଥଳୀ ଛାଞ୍ଚେଣ ରୂପେନ୍ ପାହାଡ଼କୁ ଯିବା ସହ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମରେ ଥିବା ବାଲି ଘରକୁ ଫେରିଥିଲେ। ପ୍ରଥମେ ଗାଁର ଗୌନ୍ତିଆ ମାଲି ମାଝୀ ଘରକୁ ଯାଇ ପାଦ ପୂଜା ପରେ ସେଠାରୁ ଝାମୁଯାତ୍ରା ପଡିଆକୁ ଫେରିଥିଲେ। ଫେରିବା ପରେ କଣ୍ଟା ଦୋଳିରେ ବସି ଭକ୍ତମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ | ଏହାପରେ ନିଆଁରେ ଦେବୀଙ୍କ କାଳିଶି ଚାଲିବା ସହ ଶକ୍ତିର ପରିଚୟ ଦେଇଥିଲେ । ଏଥିରେ ଛାଞ୍ଚେଣ ରୂପେନ୍ଙ୍କ ମୁଖ୍ୟ ପୂଜକ ଖୁଞ୍ଜା ଲୋହରା, ସୁଶାନ୍ତ ଲୋହରା ଓ ବାହୁକ ହରିଶଙ୍କର ପ୍ରଧାନୀ ସମେତ ମସ୍କା ପଦର ଛାଞ୍ଚେନ ରୂପେନ୍ ଯୁବକ ସଂଘ ସଭାପତି ଧାନ ମାଝୀ, ଉପ ସଭାପତି ଶୁଶାନ୍ତ ନାଏକ,ସମ୍ପାଦକ ରାଜେନ୍ଦ୍ର ନାଏକ, ସହ ସମ୍ପାଦକ ଜଗନ୍ନାଥ ପ୍ରଧାନୀ ,ପୂଜା କମିଟି ସଭାପତି ନବୀନ ମାଝୀ, ସତ୍ୟନାରାୟଣ ନାଏକ, ଭୈରବ ବହିଦାର, ସୁନାଧର ବାଗ, ଗୌରାଙ୍ଗ ମାଝୀ, ଶରତ ନାଏକ, ଅଜିତ ହରିଜନ, ରାଜାଣା ମାଝୀ, ପରୀକ୍ଷିତ ମାଝୀ, ପର୍ଶୁ ହରିଜନ ମସ୍କାପଦର ଯୁବକ ସଂଘ ସଦସ୍ୟ ସମେତ ଗ୍ରାମବାସୀ ଦାୟିତ୍ବ ତୁଲାଇ ଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ତଥା ସୀମାନ୍ତ ରାୟଗଡା ଜିଲ୍ଲା, କନ୍ଧମାଳ, ବଲାଙ୍ଗୀର, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।





