ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ଶୋଭାରାମପୁର୍ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ରତ୍ନାକର ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ବିଦ୍ୟାଳୟରେ ଦୀର୍ଘ ଦଶ ବର୍ଷ ଧରି ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ଅନ୍ନଦା ପ୍ରସାଦ ଜେନା ଅବସର ଗ୍ରହଣ କରିବା ଫଳରେ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ରତ୍ନାକର ମହାପାତ୍ର ସରକାରଙ୍କ ଅନୁମୋଦନ କ୍ରମେ ନୂତନ ଅଧ୍ୟକ୍ଷ ଭାବେ ଶ୍ରୀଯୁକ୍ତ ଜେନାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟ ତରଫରୁ ଏକ ବିଦାୟ କାଳୀନ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ନୂତନ ଅଧ୍ୟକ୍ଷଙ୍କୁ ଅନୁଷ୍ଠାନର ସମସ୍ତ କାର୍ଯ୍ୟରତ ସଦସ୍ୟ ସଦସ୍ୟା ଓ ଛାତ୍ରଛାତ୍ରୀ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ଓ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଏହି ସଭାରେ ଚକ୍ରଧର ମହାପାତ୍ର, ଦେବଯାନୀ ଦାସ, ରବୀନ୍ଦ୍ର ସେଠୀ, ବନିତା ମିଶ୍ର, ସୂର୍ଯ୍ୟକାନ୍ତ ସାହୁ, କମଳାକାନ୍ତ ପରିଡ଼ା, ଅର୍ପିତା ନାୟକ ପ୍ରମୁଖ ନିଜର ବକ୍ତବ୍ୟ ରଖିବା ସହ ଅନ୍ୟାନ୍ୟ ଅଣଶିକ୍ଷା କର୍ମଚାରୀ ମଧ୍ୟ ନିଜର ବକ୍ତବ୍ୟ ରଖି ଥିଲେ। ସମସ୍ତେ ବିଦାୟୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନାଙ୍କୁ ଜଣେ ମିଷ୍ଟଭାଷୀ,କର୍ମତତ୍ପର,ଦାୟିତ୍ଵ ସମ୍ପନ୍ନ ଧାର୍ମିକ ବ୍ୟକ୍ତି ଭାବେ ଅଭିହିତ କରିଥିଲେ। ଏହି ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକଙ୍କ କନ୍ୟା ତଥା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡକ୍ଟର ମଧବିକା ନାୟକ ତଥା ପୂର୍ବତନ ପ୍ରାଧ୍ୟାପକ ବ୍ରଜ କିଶୋର ମଲ୍ଲିକ, ପୂର୍ବତନ ଅଧ୍ୟକ୍ଷ ଦୟାନିଧି ବିଶ୍ବାଳ, ପୂର୍ବତନ ବାଣିଜ୍ୟ ବିଭାଗର ଅଧ୍ୟାପକ ବରେନ୍ଦ୍ର ନାଥ ବେହେରା ମଧ୍ୟ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଅଧ୍ୟାପକ ସୌମ୍ୟ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।





