ନାବାଳିକାକୁ ଅପହରଣ କରି ଜଙ୍ଗଲରେ ବାନ୍ଧି ଫିଙ୍ଗି ଦିଆଯିବା ଘଟଣାରେ ଜଣେ ଅଟକ: ଜଣେ ଫେରାର

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ କୌଣସି ପ୍ରକାରେ ଉଦ୍ଧାର ହୋଇ ସକାଳେ ଘରକୁ ଫେରିଛନ୍ତି ଜଣେ ୧୪ ବର୍ଷୀୟ ନାବାଳିକା । ଏପରି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଘଟିଛି। ସୂଚନା ପ୍ରକାରେ, ନାବାଳିକା ଜଣକ ଗତ ରବିବାର ପୂର୍ବାହ୍ନରେ ଏକୁଟିଆ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ପୂର୍ବ ଯୋଜନା ପ୍ରକାରେ ସେହି ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ଗାଧୋଇବା ତୁଠରୁ ଉଠାଇ ଏକ ଘଞ୍ଚ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ନାବାଳିକାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଜବରଦସ୍ତ କରିଥିଲେ । କିନ୍ତୁ ନାବାଳିକା ରାଜି ନ ହେବାରୁ ସେ ପିନ୍ଧିଥିବା ପୋଷାକ ଚିରି ଦେଇ ଭିଡିଓ କରି ଭାଇରଲ କରିଦେବୁ ବୋଲି ଧମକ ଦେଇଥିଲେ ଯୁବକ। ଏହା ସହିତ ନାବାଳିକାଙ୍କୁ ମାଡମାରି ପାଟିରେ କପଡ଼ା ଓ ହାତ ଗୋଡ ବାନ୍ଧି ସେହି ଘଞ୍ଚ ଜଙ୍ଗଲରେ ଛାଡ଼ି ଦେଇ ପଳାଇଥିଲେ। ସେଠାରେ ରାତିର କିଟି କିଟି ଅନ୍ଧାର, ହିଂସ୍ରଜନ୍ତୁଙ୍କ ଭୟ ସହିତ ଶୀତ କାକରରେ ରାତି କାଟି ଥିବାବେଳେ ବନ୍ଧା ହାତଗୋଡ କିପରି ଖୋଲିହେବ ସେ ପ୍ରଚେଷ୍ଟା ଜାରି ରଖି ସୋମବାର ସକାଳ ହେବାରୁ କୌଣସି ପ୍ରକାରେ କଷ୍ଟେ ମଷ୍ଟେ ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ ବିଷୟ କହିଥିଲେ। ଏନେଇ ପରିବାର ଲୋକେ ବେଲଘର ଥାନାରେ ଏକ ଲିଖିତ ଅଭିଯୋଗ ଦେଲା ପରେ ବେଲଘର ଥାନା କେଶ ନଂ. ୧୦/୨୦୨୬ରେ ଏକ ମାମଲା ରୁଜୁ କରି ସେହି ଗ୍ରାମର ସୁଶୀଳ ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚାରଉଚରା ଜାରି ରହିଥିବା ବେଳେ ଆଉ ଜଣେ ଫେରାର ଥିବା ବିଷୟ ବେଲଘର ପୋଲିସ ପ୍ରକାଶ କରିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଚିନ୍ତା ସୃଷ୍ଟି କରିଛି, ଏହି ବର୍ବରତାକୁ ନିନ୍ଦା କରିବା ସହିତ ଅପରାଧୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗ୍ରାମାଞ୍ଚଳରେ ଯୁବତୀମାନଙ୍କ ସୁରକ୍ଷା ଉପରେ ଅଭିଭାବକ ଏବଂ କର୍ମୀମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି, କର୍ତ୍ତୃପକ୍ଷଙ୍କୁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ପୋଲିସ ଆଶ୍ୱାସନା ଦେଇଛି ଯେ ଏକ ପୂର୍ଣ୍ଣ ତଦନ୍ତ ଚାଲିଛି ଏବଂ ଦୋଷୀମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.