ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏବେ ନୂଆ ଭାବରେ ଏନଏସି ଘୋଷଣା ହୋଇଛି। ଏଥିପାଇଁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ନର୍ଲାରେ ନୂଆ ଓ ସ୍ମାର୍ଟ ଡାକ୍ତରଖାନା ନିର୍ମାଣ ପାଇଁ ୧୨ କୋଟି ୪୨ ଲକ୍ଷ ୭୭ ହଜାର ୮୭୨ ଟଙ୍କା ମଞ୍ଜୁର ହୋଇଛି। ଏଵଂ ଏଥିପାଇଁ ଟେଣ୍ଡର ହୋଇସାରିଥିବା ବେଳେ ନୂଆ ଡାକ୍ତରଖନା ନିର୍ମାଣ ପାଇଁ ବିଭାଗକୁ ଚିଠି ୪୭ ତା ୯/୩/୨୬ ମଧ୍ଯ ହୋଇ ସାରିଛି। ହେଲେ ସରକାର ମୁଖ୍ୟାଳୟରେ ରହିଥିବା ପୁରୁଣା ଡାକ୍ତରଖାନା ସ୍ଥାନରେ ନିର୍ମାଣ ନକରି ଅନ୍ୟତ୍ର ସ୍ଥାନାନ୍ତର କରୁଥିବା ଖବରକୁ ନେଇ ନର୍ଲା ସ୍ଵାଭିମାନ ବଞ୍ଚାଅ ସମିତି ତରଫରୁ ଯୁବ ନେତା ଦିପୁ ପାତ୍ର ଓ ବରିଷ୍ଠ ନେତା ଦୁର୍ଯ୍ୟୋଧନ କୁମାରଙ୍କ ନେତୃତ୍ବରେ ଅଞ୍ଚଳର ଯୁବଗୋଷ୍ଠୀ, ବୁଦ୍ଧିଜୀବୀ ଓ ମହିଳା ମାନେ ଆଜି ସକାଳ ୮ ଘଣ୍ଟା ସମୟରୁ ନର୍ଲା ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିବା ସହିତ ଅଖ ଚକ ଜାମ କରିଥିବା ଦେଖିବାକୁ ମିଳୁଛି।

ଆଗରୁ ବହୁ ଦିନରୁ ଦାବୀ ହୋଇ ଆସୁଥିବା ଅତ୍ୟାଧୁନିକ ଡାକ୍ତରଖାନା ନିର୍ମାଣ ସାଙ୍ଗକୁ ଶବ ବ୍ୟବଚ୍ଛେଦ ଗୃହ, ରକ୍ତ ଭଣ୍ଡାର ସ୍ଥାପନ, ଡାଇଲୋସିସ ଗୃହ ସ୍ଥାପନ, ଡାକ୍ତର ସମସ୍ୟା ଦୁରୀକରଣ ପ୍ରଭୃତି ସାମିଲ ରହିଆସିଥିଲା। ଏବେ ପୁରୁଣା ଡାକ୍ତଖାନା ରହିଥିବା ସ୍ଥାନରେ ହିଁ ନୂଆଁ ସ୍ମାର୍ଟ ଡାକ୍ତଖାନା ନିର୍ମାଣ ଦାବୀ ନେଇ ଗଣ ଧାରଣା, ଆନ୍ଦୋଳନ ଓ ରାସ୍ତାରୋକ ଅନୁଷ୍ଠିତ ହୋଇଛି। ଘଟଣା ସ୍ଥଳରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ, ଅତିରିକ୍ତ ତହସିଲଦାର ମନୋରଂଜନ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ନର୍ଲା ଆଇଆଇସି ବିଜୟରାଜ ମାଝୀଙ୍କ ନେତୃତ୍ବରେ ନର୍ଲା ପୋଲିସ ଟିମ ପହରା ଦେଉଥିବା ଦେଖିବାକୁ ମିଲୁଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣା ସ୍ଥଳକୁ ଆସି ପ୍ରତିଶୃତି ଦେଲେ ହିଁ ଧାରଣାରୁ ନିବୃତ ହେବୁ ବୋଲି ଆନ୍ଦୋଳନକାରୀ ମାନେ ଅଡ଼ିବସିଛନ୍ତି।

ଗଣ ଧାରଣା ଯୋଗୁଁ ସକାଳୁ ଅଫିସ ଡ୍ୟୁଟି ପାଇଁ ନର୍ଲା, ବାଲିପଡ଼ା, ମଦନପୁର ରାମପୁର ଓ ଭବାନୀପାଟଣା କୁ ଡ୍ୟୁଟି ପାଇଁ ଯାଉଥିବା କର୍ମଚାରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଇବାକୁ ମିଳୁଛି। ରାସ୍ତା ବନ୍ଦ ଯୋଗୁଁ ଦୁଇପଟେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଜାମ ହୋଇଥିବା ଦୃଶ୍ୟମାନ ହେଉଛି। ନର୍ଲା ମାର୍କେଟ, ଦୋକାନ ବଜାର, ବ୍ୟାଙ୍କ ସବୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ। ଧାରଣାକାରୀ ମାନେ ଖରା ପାଇଁ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଅଦ୍ୟାବଧି ଜିଲ୍ଲା ସ୍ତରୀୟ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଘଟଣା ସ୍ଥଳକୁ ଆସିନଥିବା ଏଵଂ ଧାରଣା ପ୍ରଶମିତ ହୋଇନଥିବା ଜଣାପଡିଛି।




