ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ହରିନାମ ସଂକୀର୍ତ୍ତନରେ ମୁଖରିତ ହେଉଛି ଫତକାବାହାଲି ଗାଁ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଫତକାବାହାଲି ଗ୍ରାମରେ ଚାଲିଛି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ। ମାର୍ଚ୍ଚ ୧୦ ମଙ୍ଗଳବାର ଅଧିବାସ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ବୁଧବାର ସକାଳୁ ଆରମ୍ଭ ହୋଇଛି ଷୋହଳ ପ୍ରହର ନାମଯଜ୍ଞ। ଏହା ଗୁରୁବାର ଦିବାରାତ୍ର ଚାଲିବା ପରେ ଶୁକ୍ରବାର ପୂର୍ଣ୍ଣାହୁତି ସହ ସମାପନ ହେବ। ହୃଦାନନ୍ଦ ମାଝୀ ଓ ତାଙ୍କ ଧର୍ମପତ୍ନୀ ଧରିତ୍ରୀ ମାଝୀ ନାମଯଜ୍ଞର କର୍ତ୍ତା ଥିବାବେଳେ ପୂଜକ ଭାବେ ଦୁର୍ଗାମାଧବ ତ୍ରିପାଠୀ, ଜପକ ଭାବରେ ଗୋବିନ୍ଦ ପାଢ଼ୀ ଓ ପାଚକ ଭାବେ ସଞ୍ଜୟ ମହାପାତ୍ର ଦାଇତ୍ୱ ନିର୍ବାହ କରୁଛନ୍ତି। ଏଥିରେ ଫତକାବାହାଲି, ମିଠାପାଲି, ମସ୍କାଦାଣ୍ଡି, କଟିଙ୍ଗପଦର, ଦେଶମୁଣ୍ଡା, ବୋରିଙ୍ଗପଦର, ଲାଙ୍ଗପଡା ଆଦି ସାତୋଗୋଟି ଦଳ ଯୋଗ ଦେଇଛନ୍ତି। ଫତାକାବାହାଲି ନାମଯଜ୍ଞ କମିଟିର ମୁଖ୍ୟ ଉପଦେଷ୍ଟା ପୁରନ୍ଦର ମାଝୀ, ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ବସନ୍ତ ସା, ସାଧାରଣ ସମ୍ପାଦକ ମସ୍ତରାଜ ଗହିର, ଯୁଗ୍ମ ସମ୍ପାଦକ ବୁଦ୍ଧଦେବ ମାଝୀ, କୋଷାଧ୍ୟକ୍ଷ ପରମାନନ୍ଦ ମାଝୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ନାମଯଜ୍ଞ। କାର୍ଯ୍ୟକ୍ରମ ପରିଚାଳନାରେ ଫତକାବାହାଲି ନାମଯଜ୍ଞ କମିଟିର ସଦସ୍ୟବୃନ୍ଦ ଏବଂ ଗ୍ରାମବାସୀ ସହଯୋଗ କରୁଛନ୍ତି।




